ଛଇତନା(ଭିଓଭି): ଆଜି ସମୟ ସକାଳ ସାଢ଼େ ୬ଟା ସମୟରେ ପୁରୀ ଠାରୁ ୧୪ କି.ମି. ଦୂର ବାଲିଘାଇ ନିକଟସ୍ଥ ଏକ ଚାଷ ଜମିରେ ଧାନ ତଳି ରୁଆ କାମ ଚାଲିଥିବା ସମୟରେ ହଠାତ୍ ବଜ୍ରପାତ ଘଟି ବିଲରେ କାମ କରୁଥିବା ନଅ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କାମ କରୁଥିବା ଅନ୍ୟ ଆଠଜଣ ମହିଳାଙ୍କ ସମେତ ଜମି ମାଲିକ ନିକଟସ୍ଥ ଛଇତନା ଗ୍ରାମର ବିକ୍ରମ ପାଣି ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ନିକଟସ୍ଥ ଭୁଆଁ ଗ୍ରାମର କୁନ୍ତି ଭୋଇ (୫୫ବର୍ଷ) ଏବଂ ଆହତ ମାନେ ଭୁଆଁ ଗ୍ରାମର ଟିକିଲି ଭୋଇ(୪୦), ବିନି ଭୋଇ(୩୫), କବିତା ଭୋଇ(୩୦), ଅନି ଭୋଇ(୫୭), ଗୀତା ଭୋଇ(୩୫), ରସ୍ମିତା ଭୋଇ(୩୦), ଦୁଲେଇ ଭୋଇ(୪୦), ମାଳତୀ ଭୋଇ(୪୫) ବୋଲି ଜଣା ପଡିଛି। ବଜ୍ରପାତ ପରେ ମହିଳା ମାନେ ଘଟଣାସ୍ଥଳରେ ରେ ଅଚେତ ହୋଇ ପଡିଥିଲେ। ଆଖ ପାଖର ଲୋକ ମାନେ ଦୌଡା ଦୌଡି ହୋଇ ଆସି ସେମାନଙ୍କୁ ଚେତା କରାଇ ଉଦ୍ଧାର କରି ଶୁଖିଲା ଜାଗାକୁ ଆଣିଥିଲେ। ୧୦୮ ଆମ୍ବୁଲାନ୍ସକୁ ତୁରନ୍ତ ଖବର ଦିଆଯାଇଥିଲା। ମାତ୍ର ଦୁର୍ଘଟଣା ବିଷୟରେ ଖବର ପାଇବାର ଏକ ଘଂଟା ପର୍ଯ୍ୟନ୍ତ ମଧ୍ୟ ଆମ୍ବୁଲାନ୍ସ ଆସିପାରି ନଥିଲା। ଖବର ପାଇ ଭୁଆଁ ଗ୍ରାମର ସମାଜସେବୀ ସୁଦାମ ସାହୁ ଏବଂ ସ୍ଥାନୀୟ ଯୁବକ ମାନଙ୍କ ଉଦ୍ୟମରେ ଆହତ ମାନଙ୍କୁ ବିଭିନ୍ନ ଉପାୟରେ ପୁରୀ ଡାକ୍ତରଖାନା କୁ ନିଆଯାଇଥିଲା। ସେଠାରେ ଡାକ୍ତର କୁନ୍ତି ଭୋଇଙ୍କୁ ମୃତ ଘୋଷଣା କରିଥିଲେ। ଟିକିଲି ଭୋଇ ଏବଂ ବିନି ଭୋଇଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ଏସ୍.ସି.ବି. ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇ ଅଛି ଏବଂ ଜମି ମାଲିକ ବିକ୍ରମ ପାଣିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଅଛିଏବଂ ଅନ୍ୟ ଆହତ ମାନେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବାର ଜଣା ପଡିଛି।
ଦୁର୍ଘଟଣା ସ୍ଥଳଟି ପୁରୀ ସହର ଠାରୁ ମାତ୍ର ୧୪ କି.ମି., କୋଣାର୍କ ଠାରୁ ୨୨ କି.ମି., ନିକଟସ୍ଥ ଛଇତନା ଡାକ୍ତରଖାନା ଠାରୁ ମାତ୍ର ୨ କି.ମି., ବାଲିପୁଟ ଡାକ୍ତରଖାନା ଠାରୁ ୭ କି.ମି. ଏବଂ ଗୋପ ଠାରୁ ମାତ୍ର ୧୮ କି.ମି. ଦୂରରେ ଅବସ୍ଥିତ। ଉପରୋକ୍ତ ସମସ୍ତ ହସ୍ପିଟାଲ ରେ ୧୦୮ ଆମ୍ବୁଲାନ୍ସ ସଦା ସର୍ବଦା ଉପଲବ୍ଧ ଥାଏ। କିନ୍ତୁ ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ସେବାକୁ ଫୋନ୍ ଯୋଗେ ଜଣାଯାଇଥିଲେ ମଧ୍ୟ ଦୀର୍ଘ ଏକ ଘଂଟା ପର୍ଯ୍ୟନ୍ତ କୌଣସ୍ି ଆମ୍ବଲାନ୍ସ ନ ପହଂଚିବା ଘଟଣାକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି।
