ମଣିଷ ସହିତ ସମାଜ, ପ୍ରକୃତି ଏବଂ ପରିବେଶ ବେଶ୍ ଜଡ଼ିତ । କାହିଁ କେଉଁ ସହସ୍ରାଧିକ ବର୍ଷ କାଳ ସରସ ସୁନ୍ଦର ଭାବରେ ସଭ୍ୟ ମଣିଷ ତାହାର ସ୍ଥିତି ଜାହିର୍ ରଖିଛି । ନିୟମାନୁଯାୟୀ ପ୍ରଚଳିତ ପ୍ରଥା ସ୍ଥିର କରି ଜୀବନଶୈଳୀରେ ସକରାତ୍ମକ ପ୍ରଭାବ ନିମନ୍ତେ ଖାଦ୍ୟ, ପେୟ ପ୍ରକ୍ରିୟାରେ ବ୍ୟାପକ ତତ୍ତ୍ୱ ଭରିରଖିଛି । ପ୍ରଥା ଏବଂ ପରମ୍ପରାରେ କେତୋଟି ବିଧି ବିଧାନ ଚଳଣି କରି ଓଡିଆ ଘରର ସଭ୍ୟତା ଏକଦମ୍ ନିଆରା ।
ସୂର୍ଯ୍ୟ ଉଦୟ କାଳରୁ ରାତି ପାହିବା ଭିତରେ ଜୀବନଚର୍ଯ୍ୟାକୁ ଅନୁଧ୍ୟାନ କଲେ ଆଶ୍ଚର୍ଯ୍ୟଜନକ ସିଦ୍ଧାନ୍ତ ଅନୁଭୂତ ହୁଏ । ବିଜ୍ଞାନ ସମ୍ମତ ସକାଳ କିରଣ ସ୍ୱାସ୍ଥ୍ୟ ପକ୍ଷେ ହିତକର । ତୁଳସୀ ବୃକ୍ଷରେ ଜଳଦାନ ଏବଂ ପ୍ରଣାମ ସବୁ ଯୋଗ ମୁଦ୍ରାରେ ବିହିତ । ସ୍ନାନ ସାରି ଦେବତାଙ୍କୁ ପୂଜନ, ସ୍ମରଣ ଏବଂ କପାଳରେ ଚନ୍ଦନ ଲେପନ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଉତ୍ତମ । ଭ୍ରୁ ମଧ୍ୟସ୍ଥ ସ୍ଥାନରେ ଅଙ୍ଗୁଳି ସ୍ପର୍ଶରେ ଏକାଗ୍ରତା ବର୍ଦ୍ଧନ ହୁଏ ।
ପାଶ୍ଚାତ୍ୟ ସଭ୍ୟତାର ପ୍ରବେଶ ପୂର୍ବରୁ ସନ୍ଧ୍ୟା ଅତିବାହିତ ପରେ ଖାଦ୍ୟ ଗ୍ରହଣ ଏବଂ ଶୀଘ୍ର ଶୟନ ମଣିଷକୁ ସ୍ୱାସ୍ଥ୍ୟବାନ୍ ରଖିଥାଏ । ନିଦ୍ରା ମସ୍ତିଷ୍କର କେବଳ ବିଶ୍ରାମ ଅବସ୍ଥା ନୁହେଁ ବରଂ ଉତ୍ତମ ଚେତନାର ଜାଗରଣ କରିବାରେ ସହାୟକ ହୋଇଥାଏ ।
ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ ଜଳ ତତ୍ତ୍ୱ ଅମୃତ କାରକ । ଏବଂ ଚନ୍ଦ୍ରଙ୍କ ସହିତ ସମ୍ପର୍କିତ । ତେଣୁ ସ୍ନାନ ବିଧାନରେ ମନନ, ସ୍ମରଣ କରାଇ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଓ କାବେରୀ ଇତ୍ୟାଦି ପବିତ୍ର ନଦୀଙ୍କର ନାମ ଉଚ୍ଚାରଣ କରାଯାଏ । ଏହି ଚିନ୍ତନ ରେ ଶରୀରର ଆଭ୍ୟନ୍ତରୀଣ ପ୍ରକ୍ରିୟା ଯୋଗୁ ପବିତ୍ର ମନୋଭାବନା ଜାଗ୍ରତ ହୁଏ । ମନ ଶାନ୍ତ ଅର୍ଥ ସୁସ୍ଥ । ଧର୍ମ ଅର୍ଥ ଦାୟିତ୍ୱ ନିର୍ବାହ ପାଇଁ ପ୍ରଥା ପ୍ରଚଳନ ବ୍ୟବସ୍ଥାକୁ ଦୃଢ଼ୀକରଣ କରାଯାଇଛି ।
ମାର୍ଗଶୀର ଗୁରୁବାର ନିମନ୍ତେ ଭୂମିକୁ ଲେପି, ସୁନ୍ଦର ଧବଳ ବର୍ଣ୍ଣ ଚାଉଳବଟାରେ ଝୋଟି ଅଙ୍କନ ସମୟରେ ଆଙ୍ଗୁଳି ଭୂମିକୁ ସ୍ପର୍ଶ କରେ । ଦୀର୍ଘ ସମୟ ଝୋଟିଚିତା ପକାଇବାରେ ନାରୀଙ୍କର ଶରୀର ଏକ ପ୍ରକାରର ବ୍ୟାୟାମ ସଦୃଶ କାର୍ଯ୍ୟ କରେ । ଶରୀର ସୁଢଳ ଏବଂ ଆକର୍ଷଣୀୟ ରହିବାରେ ସହାୟକ ଏହି ପ୍ରଚଳିତ ପ୍ରଥା ଅନନ୍ୟ । ସମସ୍ତ ପ୍ରକାରର ପିଠା ଗଢ଼ିବା, କୁନି କୁନି ଗଇଁଠା ଗଢ଼ିବା, ଚଟୁ, ପିଠା ଖଡିକା ଧରିବା ସମୟରେ ସ୍ପର୍ଶ ଜନିତ ପ୍ରକିୟାରେ ଶରୀର ର ସ୍ନାୟୁ ସମୂହ ଚଳଚଞ୍ଚଳ ରହେ । ଦୁଆରବନ୍ଧରେ ପଡ଼ିଥିବା ଝୋଟିକୁ ନମାଡିବା ନିମିତ୍ତ ଯେଉଁ ପଦଚାଳନା ହୁଏ , ସେଥିରେ ସ୍ୱଳ୍ପ ବ୍ୟାୟାମ ସଦୃଶ ହୋଇଥାଏ । ଓଡ଼ିଆ ପରମ୍ପରା ନିଆରା, ମନମୁଗ୍ଧକର ଏବଂ ଗବେଷଣା ପାଇଁ ଖୋରାକ୍ ଯୋଗାଏ ।
ଶବ୍ଦ କୌଶଳରେ ଜଡ଼ିତ ଭଜନ, କୀର୍ତ୍ତନ, ଅଷ୍ଟପ୍ରହରୀ ଇତ୍ୟାଦି ଖାଲି ଶରୀର, ମନକୁ ସୁସ୍ଥ ରଖେ ନାହିଁ, ଚତୁର୍ପାର୍ଶ୍ୱର ବାତାବରଣରେ ଶୁଦ୍ଧତା ଆଣି ଜୀବନ, ପ୍ରାଣକୁ ଋଦ୍ଧିମନ୍ତ କରିଥାଏ । ଜୀବନଚର୍ଯ୍ୟା, ଖାଦ୍ୟ ପାନୀୟ ଦ୍ୱାରା ମନୁଷ୍ୟ ଦୀର୍ଘାୟୁ ହୋଇଥାଏ । ମନର ସକରାତ୍ମକ ଭାବନାରେ ଜ୍ଞାନକୋଷ ଉଦବୁଦ୍ଧ ହୁଏ । ଦିବ୍ୟ ସତ୍ତାର ଉପଲବ୍ଧି ହୁଏ । ଯେଉଁ ଅଦୃଶ୍ୟ ଏବଂ ସୂକ୍ଷ୍ମ ଶକ୍ତି ବଳରେ ସୂର୍ଯ୍ୟଙ୍କ କିରଣ ପ୍ରଭା ବିଚ୍ଛୁରିତ କରେ, ଉତ୍ତାପ ପ୍ରଦାନ କରେ, ଶକ୍ତିର ଉଚ୍ଛ୍ୱାସ ଘଟେ, ଯେଉଁ ତତ୍ତ୍ୱରେ ପତ୍ର ମଧ୍ୟରୁ କଳିକା ଏବଂ କୁସୁମ ବିକଶିତ ହୁଏ, ସମୀର ସ୍ପର୍ଶ କରେ, ଶୀତଳତା ଲହରାଇ ଜଳ ତରଙ୍ଗ ଉଛୁଳୁଥାଏ , କର୍ଦ୍ଦମରୁ କମଳ କୁସୁମ ବିକଶିତ ହୁଏ, ସୁବାସ ଲହରାଇ ପୁଷ୍ପ ମନ ଜିଣିନିଏ, ଗୋମାତାର ଦୁଗ୍ଧ ପୀୟୁଷ ସଦୃଶ ହୁଏ, ପୁଷ୍ଟିସାର ଜାତୀୟ ଉଦ୍ଭିଦ, ଶସ୍ୟଶ୍ୟାମଳାପୂର୍ଣ୍ଣ ଧରିତ୍ରୀ ମା’କୁ ଆମେ ମାଟି ମାଆ କହୁ, ସେହି ସବୁ ତତ୍ତ୍ୱରେ ପରିପୂର୍ଣ୍ଣ ଜୀବନରେ ପ୍ରଥା ଏବଂ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ ରହିଛି । ତାହା ପିଢ଼ି ପରେ ପିଢ଼ିକୁ ଶିକ୍ଷା ଦାନ କରି ଜୀବନରେ ଉଦ୍ଦାମତା ତ୍ୟାଗ କରି ତପସ୍ୟାରେ ନିମଗ୍ନ ରହିବା ଆବଶ୍ୟକ । ତପସ୍ୟାର ଅର୍ଥ ଆଖି ବୁଜି ଧ୍ୟାନମଗ୍ନ ରହିବା ନୁହେଁ । କର୍ମମୁଖର ବ୍ୟସ୍ତତା ଭିତରେ ଉତ୍ତମ ଆଚରଣ, ଶୃଙ୍ଖଳିତ ଉଚ୍ଚାରଣ ଏବଂ ପବିତ୍ର ଚିନ୍ତନ ଆଣିବାର ପ୍ରୟାସରେ ଏହି ବିଧିବିଧାନ ଏବଂ ପ୍ରଥା ପ୍ରଚଳନ । ଯେଉଁ ସବୁ ସୁକୃତି, ସୁକର୍ମ ମାନ
ଆବଶ୍ୟକ ତାହାହିଁ ସଂସ୍କୃତି ରୂପରେ ଉଭା ହୋଇଛି । ଆମର ସଂସ୍କୃତି ଏବଂ ପରମ୍ପରାର ରକ୍ଷା ଆମେ କରିବା ନାହିଁ ତ ଆଉ କରିବ କିଏ?
ମନସ୍ୱିନୀ ସାହୁ
ଅତିରିକ୍ତ ଶାସନ ସଚିବ, ଶକ୍ତି ବିଭାଗ
ଓଡ଼ିଶା ସରକାର