ଭୁବନେଶ୍ବର: ଆଜି ପ୍ରାୟ ଦିନ ୧୧ଟା ପରଠାରୁ ଯାତୀୟ ରାଜପଥ ୧୬ ଉପରେ ଯାତାୟାତ ଏକରକମ ଠପ୍ ହୋଇଯାଇଛି। ହାଇଟେକ୍ ଛକ ଠାରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ରାସ୍ତା ଏକପ୍ରକାର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା ଯାନ ସହିତ ଶହ ଶହ ଗାଡି ରାସ୍ତା ଉପରେ ଏକପ୍ରକାର ଠିଆ ହୋଇ ରହିଛନ୍ତି। ସୁଚନା ଅନୁଯାୟୀ ଗତକାଲି ରାତିରେ ୧୬ ନମ୍ବର ଜାତୀୟ ରାଜପଥର ହାଇଟେକ୍ ଛକ ନିକଟରେ ରାସ୍ତା ମରାମତି କାମକୁ ନେଇ ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଓ ମଞ୍ଚେଶ୍ଵର ଥାନାର ଏଏସ୍ଆଇଙ୍କୁ ଦୁର୍ବ୍ୟବହାର କରିଥିଲେ।

ସେହି ଘଟଣାକୁ ଆଧାର କରି ଏଏସ୍ଆଇଙ୍କ ଅଭିଯୋଗ କ୍ରମେ ପୋଲିସ ଜୀବନଙ୍କୁ ଗିରଫ କରିଥିଲା। ଏହି ଗିରଫ ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ସତସଙ୍ଗ ବିହାର ଠାରେ ରାସ୍ତା ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯାହାଫଳରେ ଯାତୀୟ ରାଜପଥ ଉପରେ ଗାଡି ଚଳାଚଳ ଠପ୍ ହୋଇଯାଇଥିଲା।
