ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀଙ୍କ ଜନ୍ମଦିନ ଅବସରରେ ସେ ତାଙ୍କୁ ଫୋନ୍ କରିଥିଲେ । ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ମୋଦୀଙ୍କ ଉଦ୍ୟମ ପାଇଁ ଟ୍ରମ୍ପ, ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଏ ବିଷୟରେ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ମୋଦୀ ମଧ୍ୟ ଏହି ପୋଷ୍ଟର ପ୍ରତ୍ୟୁତ୍ତୋର ଦେବା ସହ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ମୋଦୀଙ୍କ ୭୫ତମ ଜନ୍ମ ଦିବସ । ଏବେ ଟାରିଫ୍ ସମସ୍ୟା ଚାଲିଥିବା ବେଳେ ଭାରତ ସହ ଆମେରିକାର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହା ଏକ ପ୍ରୟାସ ।

ଏଥିସହ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ସାଇଟ୍, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ, ‘ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୋର ଏକ ସୁନ୍ଦର ଫୋନ ଆଲୋଚନା ହୋଇଥିଲା । ମୁଁ ତାଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ସେ ବହୁତ ଭଲ କାମ କରୁଛନ୍ତି । ନରେନ୍ଦ୍ର, ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ! – ରାଷ୍ଟ୍ରପତି ଡିଜେଟି ।’ ଟ୍ରମ୍ପ ତାଙ୍କ ପ୍ରଥମ ଅକ୍ଷର (ଡୋନାଲ୍ଡ ଜନ୍ ଟ୍ରମ୍ପ) ସହିତ ପୋଷ୍ଟରେ ସ୍ୱାକ୍ଷର କରିଛନ୍ତି ।

ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ ଗତ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଜି-୭ ଶିଖର ସମ୍ମିଳନୀ ପରେ ଏହା ପ୍ରଥମ ଫୋନ୍ କଲ୍ । ଜି-୭ ବୈଠକପରେ, ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ । ରୁଷିଆଠାରୁ ଅଶୋଧିତ ତୈଳ କ୍ରୟ ଉପରେ କଟକଣା ପାଇଁ ସେ ଓ ତାଙ୍କର ଅଧିକାରୀମାନେ ଭାରତକୁ ସମାଲୋଚନା କରିଥିଲେ । ଗତ ସପ୍ତାହରେ, ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ପୁଣି ସଜାଡିବା ପାଇଁ ପ୍ରୟାସ କରୁଥିବା କଥା ଉଲ୍ଲେଖ କରିଥିଲେ । ମୋଦୀ ଏହାର ଜବାବରେ ଭାରତ ଏବଂ ଆମେରିାକ ମିଳିତ ଭାବେ ବିଶ୍ୱର ଶାନ୍ତି ଏବଂ ପ୍ରଗତି ପାଇଁ କାର୍ଯ୍ୟ କରିବା ବୋଲି ଆଶା ବ୍ୟକ୍ତ କରିଥିଲେ ।
