ଢାକା : ବିଏନପି ମୁଖ୍ୟ ତାରିକ୍ ରେହମାନ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାରିକଙ୍କ ଶପଥ ଉତ୍ସବରେ ୧୩ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି । ଭାରତ ତରଫରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲୋକସଭା ସ୍ପିକର ଓମ ବିରଲା ଢାକା ପହଞ୍ଚିଛନ୍ତି । ଶପଥ ଗ୍ରହଣ ଉତ୍ସବ ସଂସଦ ପରିସରର ସାଉଥ ପ୍ଲାଜାରେ ଆୟୋଜିତ କରାଯାଇଛି ।
ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ଆରମ୍ଭ କରିବେ ନୂଆ ଇନିଂସ । ବିଏନପି ଅଧ୍ୟକ୍ଷ ତାରିଖ ରହମାନଙ୍କୁ ସଂସଦୀୟ ଦଳର ନେତା ଭାବେ ଚୟନ କରାଯାଇଛି । ତାରିଖଙ୍କ ସହିତ ୨୯୮ ସାଂସଦ ମଧ୍ୟ ଶପଥ ନେଇଛନ୍ତି । ଏହାପୂର୍ବରୁ ସୋମବାର ଅନ୍ତରୀଣ ସରକାରର ପରାମର୍ଶଦାତା ମହମ୍ମଦ ୟୁନୁସ ଇସ୍ତଫା ଦେଇଥିଲେ ।
ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନ୍ପି) କ୍ଷମତାକୁ ଆସିବା ପରେ ଜନମତ ସଂଗ୍ରହକୁ ଗ୍ରହଣ କରିବାକୁ ମନା କରିଦେଇଛି । ମଙ୍ଗଳବାର ତାରିକ ରହମାନଙ୍କ ସମେତ ବିଏନ୍ପି ସାଂସଦମାନେ ସାମ୍ବିଧାନିକ ସଂସ୍କାର କମିସନର ସଦସ୍ୟ ଭାବରେ ଶପଥ ନେଇ ନାହାନ୍ତି । ବାଂଲାଦେଶରେ ଗଣତନ୍ତ୍ରକୁ ଉନ୍ନତ କରିବା ପାଇଁ, ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଜୁଲାଇ ଚାର୍ଟର ପ୍ରସ୍ତାବ ଦେଇଥିଲେ । ଏନେଇ ଏକ ଜନମତ ସଂଗ୍ରହ ହୋଇଥିଲା । ଏହା ୫୦ ପ୍ରତିଶତରୁ ଅଧିକ ନାଗରିକଙ୍କ ସମର୍ଥନ ପାଇଥିଲା । ମାତ୍ର ବିଏନ୍ପି ଏବେ ସ୍ପଷ୍ଟ କରିଛି,ଜୁଲାଇ ଚାର୍ଟରକୁ କାର୍ଯ୍ୟକାରୀ କରାଯିବ ନାହିଁ । ଏହା ମହମ୍ମଦ ୟୁନୁସଙ୍କ ପାଇଁ ଏକ ବଡ଼ ଝଟକା ଆଣିଛି ।
ସୋମବାର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେଇଥିଲେ । ଛାତ୍ର ଆନ୍ଦୋଳନ ଯୋଗୁଁ ଗତ ୨୦୨୪ ଅଗଷ୍ଟରେ ଶେଖ ହସିନାଙ୍କ ସରକାରର ପତନ ଘଟିବା ପରେ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା । ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ ।
