ଜମ୍ମୁ କଶ୍ମୀର : ଘାଟି ତଳକୁ ଖସିଲା ବସ୍ । ୨ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ୧୨ ଜଣ ଆହତ ହୋଇଛନ୍ତି । ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼ ଅଞ୍ଚଳ କାଣ୍ଡଭା ନିକଟରେ ସିଆରପିଏଫ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ଅତିରିକ୍ତ ଏସପି ସନ୍ଦୀପ ଭଟ୍ ସୂଚନା ଦେଇଛନ୍ତି । ଆହତ ଯବାନମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସିଆରପିଏଫର ୧୮୭ ବାଟାଲିୟନର ଗାଡି ୧୮ ଜଣ ଯବାନଙ୍କୁ ନେଇ ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାର କଡୱାରୁ ବସନ୍ତଗଡ଼ ଯାଉଥିଲା । କାଣ୍ଡଭା ନିକଟରେ ଆଜି ସକାଳ ପ୍ରାୟ ୧୦.୩୦ରେ ଘାଟିରେ ତଳକୁ ଖସି ପଡିଥିଲା ଗାଡ଼ି । ସୂଚନା ଅନୁସାରେ,ଘଟଣାସ୍ଥଳକୁ ଆମ୍ବୁଲାନ୍ସ ମଧ୍ୟ ପଠାଯାଇଛି । ଗାଡ଼ିଟି ଘାଇରେ କେମିତି ଖସିଲା ତାହାର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ଏ ନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ୍ସରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଜମ୍ମୁ-କଶ୍ମୀର ଉଧମପୁର ଜିଲ୍ଲା ବସନ୍ତଗଡ଼ ଇଲାକା ନିକଟରେ ଥିବା ଘାଟିରୁ ଯବାନଙ୍କ ଗାଡ଼ି ଖସିପଡ଼ିଥିବା ଜଣାପଡ଼ିଛି ।
