ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ, ସେ ରାଜ୍ୟରେ କୃଷକମାନଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ।
କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଆଜି ସକାଳେ ପାଟନାରୁ ଯାତ୍ରା କରିବେ ଏବଂ ପୂର୍ବାହ୍ନ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ। ଏହା ପରେ, ସେ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ‘ମାଣ୍ଡିଆ ଦିବସ (ମିଲେଟ୍ ଡେ’)’ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେବେ। ଏହି ଅବସରରେ, ସେ ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମିଲେଟ୍ସ (ଶ୍ରୀ ଅନ୍ନ) ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ଉପଯୋଗକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିଷୟରେ ବକ୍ତବ୍ୟ ରଖିବେ। ଏହି କାର୍ଯ୍ୟକ୍ରମରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ଉପକରଣ ଭାବରେ ଶ୍ରୀଅନ୍ନକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା ମଧ୍ୟ କରାଯିବ।
