ଭୁବନେଶ୍ୱର : ରାଜ୍ୟରେ ସିଟି ଇକୋନୋମିକ ରିଜିଅନ ଗଠନ ପାଇଁ ପ୍ରସ୍ତାବ । ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଏବଂ ଅନୁଗୋଳ-ଢେଙ୍କାନାଳକୁ ପୃଥକ ‘ସିଟି ଇକୋନୋମିକ ରିଜିୟନ’ରେ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ମଡେଲରେ ଏହି ଦୁଇଟି ସିଟି ଇକୋନୋମିକ ରିଜିୟନ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ଧର୍ମେନ୍ଦ୍ର ।
ଏହା ଦ୍ବାରା ସଂପୃକ୍ତ ଅଞ୍ଚଳରେ ଥିବା ଶିଳ୍ପ, ଶିକ୍ଷା, କୃଷି, ପର୍ଯ୍ୟଟନ ଓ ଆନୁଷଙ୍ଗିକ ସମ୍ଭାବନା ନେଇ ଅବଗତ କରାଇଛନ୍ତି । ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଓ ଅନୁଗୋଳ-ଢେଙ୍କାନାଳ କ୍ଲଷ୍ଟର ରାଜ୍ୟର ମୋଟ ଜିଏସଡିପିରେ ୨୬ ପ୍ରତିଶତରୁ ଅଧିକ ଯୋଗଦାନ ରଖୁଛି । ଏଠାରେ ଜିସିସି ଡାଟା ସେଣ୍ଟର, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ହସ୍ତତନ୍ତ ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଶିଳ୍ପର କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶର ସୁଯୋଗ ରହିଛି ।
ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଭିସୁଟ ବୁର୍ଲା ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଯୋଗୁଁ ଏହା ନ୍ୟୁ ଏଜ୍ ଇକୋନୋମୀର ଏକ କେନ୍ଦ୍ରବିନ୍ଦୁ ଭାବରେ ସ୍ଥାପିତ କରୁଛି । ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ କ୍ଲଷ୍ଟର ଭୁବନେଶ୍ୱର, ରାୟପୁର, ରାଞ୍ଚିର ୩୦୦ କିମି ପରିଧି ମଧ୍ୟରେ ଥିବାରୁ ଏହାର ବ୍ୟବସାୟିକ ଗୁରୁତ୍ୱ ଅଧିକ ରହିଛି । ଅନୁଗୋଳରେ ଥିବା ନାଲକୋ, ଏନଟିପିସି କଣିହାଁ, ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ଏମସିଏଲ ଭଳି ବଡ଼ ବଡ଼ ଅନୁଷ୍ଠାନ ରାଜ୍ୟକୁ ବିଦ୍ୟୁତ୍ ଓ ଶକ୍ତି ଯୋଗାଇବାରେ ମେରୁଦଣ୍ଡ ସାଜିଛନ୍ତି ।
ଅନୁଗୋଳ-ଢେଙ୍କାନାଳ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ଦେଇ ନିକଟରେ ଘୋଷଣା କରାଯାଇଥିବା ୫ ନମ୍ବର ଜାତୀୟ ଜଳପଥ ପରିବହନ କ୍ଷେତ୍ରରେ ବିପ୍ଳବ ଆଣିବ । ପ୍ରଚୁର ପରିମାଣରେ କୋଇଲା, କ୍ରୋମାଇଟ୍ ଏବଂ ଲୁହା ପଥର ମିଳୁଥିବାରୁ ଏହା ଭାରୀ ଶିଳ୍ପ, ନୂତନ କାରଖାନା ଏବଂ ସୌର ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଏହା ଏକ ଉତ୍କୃଷ୍ଟ ସ୍ଥାନ । ଆଇଜିଆଇଟି – ସରାଙ୍ଗ ଏବଂ ଅନୁଗୋଳର ସ୍କିଲ୍ ଇଣ୍ଡିଆ ସେଣ୍ଟର ଯୁବକମାନଙ୍କୁ ଦକ୍ଷ କରୁଛି । ଏହି ନୂତନ କରିଡରଗୁଡ଼ିକର ବିକାଶ କରାଗଲେ, ଏହା ଶିଳ୍ପାୟନ ଓ ବ୍ୟବସ୍ଥିତ ସହରୀକରଣ ମାଧ୍ୟମରେ ରାଜ୍ୟର ସମୃଦ୍ଧି ଏବଂ ଜନସାଧାରଣଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବାରେ ଏକ ମୁଖ୍ୟ ଆଧାର ସାଜିବ ।
ଦେବ୍ରିଗଡ, ଭୀମମଣ୍ଡଳୀ, ବେଦବ୍ୟାସ, ଖଣ୍ଡାଧାର, ପ୍ରଧାନପାଟ, ସାତକୋଶିଆ, କପିଳାସ ଏବଂ ସପ୍ତଶଯ୍ୟା ଭଳି ସ୍ଥଳୀର ବିକାଶ କରି ପର୍ଯ୍ୟଟନ ମାଧ୍ୟମରେ ଆର୍ଥିକ ସ୍ଥିତି ସୁଦୃଢ଼ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ପରିକଳ୍ପନାକୁ ସାକାର କରି ଓଡ଼ିଶା ଦେଶର ବିକାଶର ପ୍ରମୁଖ ମାଇଲଖୁଣ୍ଟ ହେବ ବୋଲି ଚିଠିରେ ଅବଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
