• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବିଜୟ ବାବୁ ଏବେ ବି ସୂକ୍ଷ୍ମ ରୂପରେ ବିଦ୍ୟମାନ: ସ୍ୱାମୀ ସଦାନନ୍ଦ ସରସ୍ୱତୀ

by Voice of Victims
September 20, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବିଜୟ ବାବୁ ଏବେ ବି ସୂକ୍ଷ୍ମ ରୂପରେ ବିଦ୍ୟମାନ: ସ୍ୱାମୀ ସଦାନନ୍ଦ ସରସ୍ୱତୀ

ଭୁବନେଶ୍ୱର: ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ପଞ୍ଚମ ବାର୍ଷିକ ପବିତ୍ର ପୂଣ୍ୟତିଥି ଉପଲକ୍ଷେ ଏକ ସ୍ମୃତିସଭା ହୋଟେଲ ଲେମନ ଟ୍ରି, ଭୁବନେଶ୍ୱରଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ଅଧ୍ୟକ୍ଷ ତଥା ବିଜୟ କୁମାର ପଟ୍ଟନାୟକ ମେମୋରିଆଲ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଚିନ୍ମୟ ମିଶନ ଓଡ଼ିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ, ‘ନିର୍ଭୟ’ର ସମ୍ପାଦକ ନବୀନ ଦାସ ଏବଂ ‘ପିକକ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପଞ୍ଚାନନ କାନୁନ୍‌ଗୋ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଜୟ ପଟ୍ଟନାୟକଙ୍କ ଭଳି ଏକ ସାଙ୍ଗଠନିକ ଦକ୍ଷତା ଥିବା ବ୍ୟକ୍ତିଙ୍କୁ ସମ୍ବାଦ ପାଇଥିଲା। ତାଙ୍କର ସାଙ୍ଗଠନିକ ଦକ୍ଷତା ଅନନ୍ୟ। ଏକ ପ୍ରମୁଖ ସମ୍ବାଦପତ୍ର ‘ସମ୍ବାଦ’ର ସେ ଥିଲେ ପ୍ରଚ୍ଛଦପଟର ନାୟକ। ସମ୍ବାଦର ପ୍ରକାଶନ ଦାୟିତ୍ୱ ଏଭଳି ସୁଚାରୁ ରୂପେ ତୁଲାଇଥିଲେ ଯେ ଯାହା ସମ୍ବାଦକୁ ଆଜି ରାଜ୍ୟର ଏକ ନମ୍ବର ଖବରକାଗଜର ମାନ୍ୟତା ଦେବାରେ ସହାୟକ ହୋଇଛି। ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ କାଳ ସେ ସମ୍ବାଦର ସେବାରେ ନିଜକୁ ସମର୍ପିତ କରିଥିଲେ। ସମ୍ବାଦର ପ୍ରକାଶକ ପରି ବଡ଼ ପଦବୀରେ ଥାଇ ମଧ୍ୟ ସେ ବେଶ୍ ସରଳ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ।

ସମ୍ମାନିତ ଅତିଥି ସ୍ୱାମୀ ସଦାନନ୍ଦ ସରସ୍ୱତୀ ଜନ୍ମ ଓ ମୃତ୍ୟୁ ସମ୍ବନ୍ଧରେ ତାଙ୍କର ସମ୍ୟକ୍ ଅଭିଭାଷଣ ଦେଇଥିଲେ। ସେ ତାଙ୍କର ଅଭିଭାଷଣରେ ଶାସ୍ତ୍ର ଏବଂ ଗୀତାର ଉଦାହରଣ ଦେଇ କହିଥିଲେ ଯେ ବିଜୟ ବାବୁଙ୍କ ଶରୀର କେବଳ ପଞ୍ଚମହାଭୂତରେ ବିଲୀନ ହୋଇଛି। କିନ୍ତୁ ସେ ସୂକ୍ଷ୍ମ ରୂପରେ ଏବେବି ଆମ୍ଭେମାନଙ୍କର ପାଖରେ ବିଦ୍ୟମାନ ଅଛନ୍ତି। ଏହାସହିତ ସେ ବିଜୟ ବାବୁଙ୍କ ସୁପୁତ୍ର ଡାକ୍ତର ସ୍ୱରୂପ ପଟ୍ଟନାୟକଙ୍କୁ ରୋଗୀ ଚିକିତ୍ସା ସମୟରେ ପିତାଙ୍କ ଉପସ୍ଥିତିକୁ ଅନୁଭବ କରି ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ନବୀନ ଦାସ କହିଥିଲେ ଯେ ବିଜୟ ବାବୁ ମୋର ଜଣେ ସହକର୍ମୀ ଥିଲେ। ଆମେ ସାଙ୍ଗ ହୋଇ ଦୀର୍ଘ ଆଠ ବର୍ଷ ଏକାଠି କାର୍ଯ୍ୟ କରିଛୁ। ବିଜୟ ପଟ୍ଟନାୟକ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସମ୍ବାଦର ସେବାରେ ନିଜକୁ ସମର୍ପିତ କରିଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଏବଂ ଧର୍ମପରାୟଣ ବ୍ୟକ୍ତି ଥିଲେ। ତାଙ୍କର ବ୍ୟକ୍ତିତ୍ୱ ଏବଂ ବିଭିନ୍ନ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଲୋକଲୋଚନକୁ ଆଣିଲେ ଅନ୍ୟମାନେ ଏଥିରୁ ପ୍ରେରଣା ପାଇବେ।

ପିକକ୍‌ର ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କହିଥିଲେ ଯେ ବିଜୟ ସାର୍‌ଙ୍କ ସହିତ ସମ୍ପର୍କ ବହୁତ ପୁରୁଣା। ତାଙ୍କ ସାନ ଭାଇ ଅଜୟ କୁମାର ପଟ୍ଟନାୟକ ଶ୍ରମ ନିର୍ଦ୍ଦେଶାଳୟରେ ଚାକିରି କରିଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଲା ପରେ ବିଜୟ ସାର୍‌ଙ୍କ ସହିତ ଘନିଷ୍ଠତା ଆହୁରି ବଢ଼ିଯାଇଥିଲା। ବିଜୟ ସାର୍ ଜଣେ ଅତ୍ୟନ୍ତ ପରୋପକାରୀ, ସମାଜସେବୀ ଓ ମିଷ୍ଟଭାଷୀ ଅଟନ୍ତି। ସମାଜସେବା ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ। ଶେଷରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ବିଜୟ ବାବୁ ଆମ ସମ୍ବାଦ ପରିବାରର ପ୍ରଥମ ସହଯୋଗୀ ସଦସ୍ୟ ଥିଲେ। ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସମ୍ବାଦର ସେବାରେ ନିଜକୁ ସମର୍ପିତ କରିଥିଲେ। ସମ୍ବାଦରେ ତାଙ୍କର ଅବଦାନକୁ କେବେ ବି ଭୁଲିହେବ ନାହିଁ। ସେ ଏକ ସଫଳ ବ୍ୟକ୍ତିତ୍ୱ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପାଞ୍ଚ ଜଣଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ହେମନ୍ତ କୁମାର ରାଉତ, ବରିଷ୍ଠ ସାମ୍ବାଦିକଙ୍କୁ ବିଜୟ ପଟ୍ଟନାୟକ ମେମୋରିଆଲ୍ ଜର୍ଣ୍ଣାଲିଷ୍ଟ ଆୱାର୍ଡ-୨୦୨୫ରେ ସମ୍ବର୍ଦ୍ଧନା କରି ମାନପତ୍ର ଏବଂ ପଚିଶ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର, କମଳାକାନ୍ତ ଖାମୁରାଇଙ୍କୁ ବିଜୟ ପଟ୍ଟନାୟକ ମେମୋରିଆଲ୍ ନିଉଜପେପର ହକର ଆୱାର୍ଡ଼-୨୦୨୫, ମାନପତ୍ର ଏବଂ କୋଡ଼ିଏ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଯୁଗ୍ମ ଭାବେ ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇଜଣ ଚନ୍ଦନ କୁମାର ମହାନ୍ତ ଏବଂ ସୁଶ୍ରୀ ବବିତା ରଥ ଉଭୟଙ୍କୁ ବିଜୟ ପଟ୍ଟନାୟକ ମେମୋରିଆଲ୍ ଆୱାର୍ଡ-୨୦୨୫, ମାନପତ୍ର ଏବଂ ଉଭୟଙ୍କୁ ଦଶହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ସେହିପରି ଶିଶୁ ଶ୍ରମରୁ ମୁକ୍ତ ହୋଇ ଶିକ୍ଷାକୁ ଗ୍ରହଣ କରିଥିବା କୁମାରୀ ସୁନେଲୀ ମୁଣ୍ଡାଙ୍କୁ ବିଜୟ ପଟ୍ଟନାୟକ ମେମୋରିଆଲ୍ ଆୱାର୍ଡ-୨୦୨୫ ସହିତ ମାନପତ୍ର ଏବଂ କୋଡ଼ିଏ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ ‘ମୋ ବାପା ଓ ବାପା’ ନାମକ ବୃତ୍ତିଚିତ୍ରର ନିର୍ଦ୍ଦେଶକ ଜ୍ୟୋତିଶଙ୍କର ସିଂ ଓ ସଂଗୀତ ନିର୍ଦ୍ଦେଶକ ବିଧୁଭୂଷଣ ରାଉତଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରାରମ୍ଭରେ ବିଜୟ କୁମାର ପଟ୍ଟନାୟକ ମେମୋରିଆଲ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ‘ମୋ ବାପା ଓ ବାପା’ ନାମକ ଏକ ବୃତ୍ତିଚିତ୍ର ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇ ପ୍ରଦର୍ଶିତ ହୋଇଥିଲା। ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ସୁଦାତା ପଟ୍ଟନାୟକ, ଦିବ୍ୟଜ୍ୟୋତି ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ମନୋଜ ନାୟକ, ସୋଆ , ଗୌତମ ବୁଦ୍ଧ ଦାସ, ବିଧାୟକ ଭୋଗରାଇ, ସି.ଭି. ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ପ୍ରତିଷ୍ଠାତା ସଂଜିବ କୁମାର ରାଉତ, ଶରତ ଚନ୍ଦ୍ର ଭଦ୍ରା, ଡକ୍ଟର ଗୌରହରି ଦାଶ, ଅସିତ ମହାନ୍ତି, କମଳାକାନ୍ତ ମହାପାତ୍ର, ଭବାନୀ ଶଙ୍କର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଆଇନ୍‌ଜୀବୀ ସୁଶାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟର ଅନ୍ୟତମ ସଦସ୍ୟ ଆଶିଷ କୁମାର ମହାନ୍ତି, ସ୍ୱରୂପ ମହାପାତ୍ର, ଡ. ସ୍ୱରୂପ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ବେଦାନ୍ତ ପଞ୍ଚମ ବାର୍ଷିକ ପବିତ୍ର ପୂଣ୍ୟତିଥି ଉପଲକ୍ଷେ ଆୟୋଜିତ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ଏହି ଅବସରରେ ପ୍ରାତଃରେ ସି.ଆର.ପି. ଛକ ସ୍ଥିତ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ମନ୍ଦିରରେ ଶ୍ରୀରାମ ଚରିତ ମାନସ ଅଖଣ୍ଡ ପାଠର ଶୁଭାରମ୍ଭ ସହିତ ୧୦୮ ଦୀପଦାନ ଏବଂ ବିଜୟ କୁମାର ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ। ପରେ ପରେ ‘ଆଶ୍ରୟ ଚିଲଡ୍ରେନ୍ ହୋମ୍‌’ ଡୁମୁଡୁମାରେ ପିଲାମାନଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା।

Post Views: 44
Share199Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In