ନୂଆଦିଲ୍ଲୀ: IPL ୨୦୨୫ ଟାଇଟଲ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ୧୮ ବର୍ଷରେ ଟ୍ରଫି ହାତେଇଛି ଆରସିବି । ଏହି ଟିମରେ ଷ୍ଟାର ଖେଳାଳି ବିରାଟ କୋହଲି ସିଜିନର ଭଲ ପ୍ରଦର୍ଶନ ଦେଇଛନ୍ତି । ବରାଟ ମୋଟ ୧୫ଟି ମ୍ୟାଚ୍ ଖେଳି ୬୫୭ ରନ କରିଛନ୍ତି । ଟିମରେ ବିରାଟଙ୍କ ଯୋଗଦାନ ବହୁତ ଗୁରୁତ୍ବପୂର୍ଣ୍ଣ ରହିଛି ।
ଆଇପିଏଲ ଟ୍ରଫି ଜିତିବା ପରେ ବିରାଟ କୋହଲି ନିଜ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ନିଜର ଭାବନାକୁ ସେୟାର କରିଛନ୍ତି । ଏହି ପୋଷ୍ଟରେ ବିରାଟ କେବଳ ନିଜର ଖୁସି ବ୍ୟକ୍ତ କରିନାହାନ୍ତି, ବରଂ ଫ୍ୟାନ୍ସ ଏବଂ ଆଇପିଏଲ ଯାତ୍ରାକୁ ମଧ୍ୟ ମନେପକାଇଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି । ବିରାଟ ପୋଷ୍ଟରେ ଲେଖିଛନ୍ତି, ଏହି ଟିମ ମୋ ସ୍ବପ୍ନକୁ ସମ୍ଭବ କରିଛି, ଏହି ସିଜିନକୁ ମୁଁ କେବେ ଭୁଲିପାରିବି ନାହିଁ । ଗତ ଅଢେଇ ମାସ ହେଲାଣି ଏହି ଯାତ୍ରାକୁ ମୁଁ ସଂପୂର୍ଣ୍ଣ ଉପଭୋଗ କରିଛି ।

ଏହା ଆରସିବିର ଫ୍ୟାନ୍ସଙ୍କ ପାଇଁ, ଯେଉଁମାନେ ଖରାପ ସମୟରେ ଆମ ସାଥ୍ ଛାଡ଼ିନାହାନ୍ତି । ଏହା ସବୁ ବର୍ଷର ହୃଦୟ ଭାଙ୍ଗିବା ଏବଂ ହତାଶ ପାଇଁ । ଏହା ଏହି ଟିମ ପାଇଁ ଖେଳି ଏବଂ ମଇଦାନରେ କରାଯାଇଥିବା ସବୁ ପ୍ରୟାସ ପାଇଁ । ଆଇପିଏଲ ଟ୍ରଫି ମୋତେ ଉଠାଇବାକୁ ଏବଂ ଉତ୍ସବ ମନାଇବାକୁ ୧୮ ବର୍ଷ ଅପେକ୍ଷା କରିବାକୁ ପଡିଥିଲା, କିନ୍ତୁ ଏହି ଅପେକ୍ଷା ମୋ ପାଇଁ ସାର୍ଥକତା ଆଣିଦେଇଛି । ବିରାଟ ଏକ ଫଟୋରେ ସେ ଲାଲ ରଙ୍ଗର ଆରସିବି ଜର୍ସି ପିନ୍ଧିଥିବା ଏବଂ ଗର୍ବରେ ଆଇପିଏଲ ୨୦୨୫ର ଟ୍ରଫିକୁ ଧରିଛନ୍ତି । ମାତ୍ର ୧ ଘଣ୍ଟା ମଧ୍ୟରେ ଏହି ପୋଷ୍ଟ ୫ ମିଲିୟନରୁ ଅଧିକ ଲାଇକ୍ସ ଏବଂ ହଜାର ହଜାର କମେଣ୍ଟ୍ସ ମିଳିଛି ।
ମ୍ୟାଚ୍ ଶେଷ ହେବା ପରେ କୋହଲି କହିଥିଲେ, ‘ଦୀର୍ଘ ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ଏଭଳି ଦିନ ଆସିବ ବୋଲି ଭାବି ନଥିଲି । ଏ ଦଳକୁ ମୋ ଯୁବାବସ୍ଥା, ମୋର ଶ୍ରେଷ୍ଠ ଏବଂ ଅଭିଜ୍ଞତା ଦେଇଛି । ଦୀର୍ଘ ୧୮ ବର୍ଷରେ ଦଳକୁ ମୋର ସବୁ କିଛି ଦେଇଛି । ଏହି ଗୋଟିଏ ଦଳରେ ହିଁ ରହି ଆସିଛି । ମୁଁ ଦଳ ପଛରେ ରହିଛି, ଦଳ ମଧ୍ୟ ମୋ ପଛରେ ଛିଡ଼ା ହୋଇଛି । ସବୁବେଳେ ଏହି ଦଳ ସହ ଚାମ୍ପିଅନ ହେବାକୁ ସ୍ୱପ୍ନ ଦେଖି ଆସିଛି । ତେଣୁ ଏହି ଦଳ ସହ ଟ୍ରଫି ଜିତି ବହୁତ ଖୁସି । ଆଇପିଏଲ ୨୦୨୫ରେ ବିରାଟ କୋହଲିଙ୍କ ୧୫ଟି ମ୍ୟାଚରେ ୧୫ଟି ଇନିଂସ ଖେଳିଛନ୍ତି । ଏଥିରେ ବିରାଟ ୬୫୭ ରନ୍ କରିଛନ୍ତି । ବିରାଟଙ୍କ ସର୍ବାଧିକ ରନ୍ ୭୩ ରହିଛି । ଏହି ସିଜିନରେ ବିରାଟ ୮ଟି ଅର୍ଦ୍ଧଶତକ ମାରିଛନ୍ତି ।
