ଭୁବନେଶ୍ୱର, ୨୪/୧୧: ବହୁଭାଷୀ ସାପ୍ତାହିକ ଖବରକାଗଜ ‘ଭଏସ୍ ଅଫ୍ ଭିକ୍ଟମ୍ସ’ର ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର ରେଡ୍-କ୍ରସ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତି ପଫେସର ସୁପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦର ପୂର୍ବତନ ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ “ଆତ୍ମୀୟତା ଓ ସହଯୋଗରେ ସହାୟତା” ଶୀର୍ଷକ ଆଲୋଚନା ଚକ୍ରରେ ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା, ପୂର୍ବତନ ଜିଲ୍ଲା ଓ ଦୌରାଜଜ୍ ସଂଜୟ କୁମାର ସାହୁ, ସାଇବର ଥାନା ଏ.ସି.ପି. ଅକ୍ଷୟ କୁମାର ନାୟକ ଏବଂ ସାଇବର ଆଇନ ବିଶେଷଜ୍ଞ ଲିଙ୍ଗରାଜ ସେଠୀ ପ୍ରମୁଖ ଅଂଶଗ୍ରହଣ କରି ଅପରାଧ ନିୟନ୍ତ୍ରଣ ନିମନ୍ତେ ପୋଲିସ କ୍ଷମତା ଏବଂ ସାଧାରଣ ଜନତାଙ୍କ ପ୍ରତି ପୋଲିସର ବ୍ୟବହାର, ଅଦାଲତରେ ବିଚାର ଅପେକ୍ଷାରେ ଥିବା ମାମଲାର ଶୀଘ୍ର ସମାଧାନର ଆବଶ୍ୟକତା ଏବଂ ସଂପ୍ରତି ସମାଜରେ ଘଟୁଥିବା ବିଭିନ୍ନ ଡିଜିଟାଲ ଅପରାଧରୁ କେମିତି ନିଜକୁ ସୁରକ୍ଷା ପ୍ରଦାନ କରାଯାଇ ପାରିବ ଏବଂ ଏ ସମ୍ବନ୍ଧରେ କି କି ପ୍ରକାରର ଆଇନ ବ୍ୟବସ୍ଥା ରହିଛି ସେ ସମ୍ବନ୍ଧରେ ବିଶେଷ ଆଲୋଚନା କରିଥିଲେ। ଏହି ଆଲୋଚନାଚକ୍ରକୁ କବି ତଥା ସାମ୍ବାଦିକ ଶତ୍ରୁଜିତ୍ ସଂଚାଳନା କରିଥିଲେ। ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମ୍ବାଦପତ୍ର ମାନେ ନିଜର କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ସଠିକ୍ ଢ଼ଙ୍ଗରେ ସମ୍ବାଦ ପରିଚାଳନା କରିବା ଉଚିତ୍ ଏବଂ ଏଭଳି ଏକ ମାନସିକତାରୁ ହିଁ ‘ଭଏସ୍ ଅଫ୍ ଭିକ୍ଟିମ୍ସ’ ଭଳି ଏକ ସାପ୍ତାହିକ ଖବରକାଗଜର ଜନ୍ମ ହେଲା ବୋଲି ପ୍ରକାଶ କରି ସଂସ୍ଥା ତାର କାମକୁ ପରିବ୍ୟାପ୍ତ କରିବା ପାଇଁ ଡିଜିଟାଲ ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଭଏସ୍ ଅଫ୍ ଭିକ୍ଟିମ୍ସର ସ୍ୱନକ୍ଷତ୍ର ସଂଖ୍ୟା ଉନ୍ମୋଚନ କରାଯାଇଥିଲା। ସେଞ୍ଚୁରିଅନ୍ ସ୍କୁଲ୍ ଅଫ୍ ଲ ର ଡିନ୍ ଡଃ ପଲ୍ଲବ ଦାସଙ୍କ ପୁସ୍ତକ “ଅଣ୍ଡରଷ୍ଟାଣ୍ଡିଙ୍ଗ ମେଣ୍ଟାଲ୍ ହେଲ୍ଥ ଥ୍ରୁ ଦି ପ୍ରିଜମ ଅଫ୍ ଲ” ଅତିଥିମାନେ ପାଠକାର୍ପଣ କରିଥିଲେ। ମନୋଜ ପୃଷ୍ଟି, ସଂଜୀବ କୁମାର ପ୍ରଧାନ, ଡାକ୍ତର ଦିପ୍ତି ପ୍ରଧାନ, ଦିଗରଞ୍ଜନ ଦାସ, ପାର୍ଥ କମାର ଦାସ, ସୌମ୍ୟଜିତ୍ ମଜୁମଦାର ଏବଂ ସୁବ୍ରତ ଦାସ ପ୍ରମୁଖଙ୍କୁ ଭଏସ୍ ଅଫ୍ ଭିକ୍ଟମ୍ସ ଗୌରବ-୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭଏସ୍ ଅଫ୍ ଭିକ୍ଟିମ୍ସକୁ ଆଲେଖ୍ୟ ପ୍ରଦାନ କରିଥିବା ପ୍ରତିଭାମାନଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ଏଥି ସହିତ ନିୟମିତ ଆଇନ ସମ୍ବନ୍ଧୀୟ ଉପାଦେୟ ଲେଖା ପ୍ରେରଣ କରୁଥିବା ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା। ମୁଖ୍ୟ ସମ୍ପାଦକ କୈଳାସ ଚନ୍ଦ୍ର ଶତପଥି ସ୍ଵାଗତ ଭାଷଣ, ଅତିଥି ପରିଚୟ ଦେବା ସହିତ ସଭାମଞ୍ଚକୁ ପରିଚାଳନା କରିଥିବାବେଳେ ଅଧ୍ୟକ୍ଷ ତଥା ସମ୍ପାଦକ ଜ୍ଞାନ ରଞ୍ଜନ ମିଶ୍ର ଉତ୍ସବରେ ସଭାପତିତ୍ଵ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧାଞ୍ଜଳି ମିଶ୍ର, ସ୍ନେହା ତ୍ରିପାଠୀ, ଦୁର୍ଗେଶ ମିଶ୍ର, ଡଃ ରଶ୍ମିରଂଜନ ମହାରଥା, ବିରଞ୍ଚି ପାଇକରାୟ, ରଣଜିତ ପଟ୍ଟନାୟକ, ପ୍ରୟାସ ମିଶ୍ର, ରଂଜନ ପଟ୍ଟନାୟକ, ବ୍ୟୋମକେଶ ମିଶ୍ର, ସରୋଜିନୀ ପ୍ରଧାନ, ଶୁଭଶ୍ରୀ ସାମଲ, ଅର୍ପିତା ମିଶ୍ର, ରତ୍ନାକର ମହାମାନସିଂହ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।
