ଓଡ଼ଗାଁ: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ତାଳ ଗଛ ଲୋପ ପାଇବାକୁ ବସିଥିବା ବେଳେ କାଳ ବୈଶାଖୀର ପ୍ରଭାବରୁ ବଜ୍ରପାତ ଘଟି ବହୁ ଜଣ ଜୀବନ କ୍ଷତି ହେଉଛି | ଏଥିରୁ ମୁକୁଳିବା ପାଇଁ ଓଡ଼ଗାଁ ବ୍ଳକ କୁରାଳ ମାତୃଭୂମି ସଂଗଠନର ଦଣ୍ଡୋର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଚଳିତ ବର୍ଷ ୨ ଶହ ତାଳ ବିହନ (ଖୁକୁଣ୍ଡି) ରୋପଣ କରାଯାଇଛି।ସଂଗଠନର ସଦସ୍ୟ ସାମାଜିକ କର୍ମି ଶାନ୍ତନୁ ବିଷୋୟୀଙ୍କ ନେତୃତ୍ୱରେ ରାମକୃଷ୍ଣ ସାହୁ, ରାଜକିଶୋର ନାୟକଙ୍କ ସହିତ ଅନ୍ୟ ସାଥି ପାଣ୍ଡେରୀପଡା ଠାରୁ ଗିରିଡିପଲ୍ଲୀ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ବରେ ଏସବୁ ତାଳ ବିହନ ରୋପଣ କରିଛନ୍ତି ।ପୂର୍ବ ବର୍ଷ ମାନଙ୍କରେ ଲାଗିଥିବା ତାଳ ବିହନ ଏବେ ଧିରେ ଧିରେ ବଡ଼ ହେଲାଣି।ସୂଚନା ଥାଉକି ଚାଷୀମାନେ ଜମିରେ କାମ କରୁଥିବା ବେଳେ ଏବଂ ଚରାଳି ଗାଈ, ଗୋରୁ,ମଇଁଷି,ଛେଳି,ମେଣ୍ଢା ଚରାଉଥିବା ବେଳେ ବଜ୍ରପାତ ବଜ୍ରାଘାତ ଯୋଗୁଁ ଅନେକ ଗୃହପାଳିତ ପ୍ରାଣୀ ଏବଂ ମଣିଷଙ୍କ ଅକାଳରେ ମୃତ୍ୟୁ ଘଟିଥାଏ।
ଧନ ସହିତ ଜୀବନ ଚାଲିଯାଏ।ବାଆକୁ ବତା ଏବଂ ଖରାକୁ ଛତା ପରି ବଜ୍ରାଘାତକୁ ତାଳଗଛ ହେଉ ଅଥବା ନଡ଼ିଆ ଗଛ ଅଟକାଇ ପାରିଥାଏ। ଅର୍ଥାତ୍ ଅନ୍ୟର ଜୀବନ ବଞ୍ଚାଇବାକୁ ନିଜ ଜୀବନ ଦେଇଥାଏ। ଏତଦବ୍ୟତୀତ ସାନ ଠାରୁ ଆରମ୍ଭ କରି ବଡ଼ ତାଳ ଗଛର ପ୍ରତ୍ୟେକଟି ଅଂଶ ମୁନୁଷ୍ୟର ବିଭିନ୍ନ କାର୍ଯ୍ୟରେ ଆସିଥାଏ।ଗଛଟି ଅଧିକ ଶକ୍ତ ହୋଇଥିବାରୁ କଂକ୍ରିଟ ବଦଳରେ ଏହାକୁ ଓରା ସେଣି ଭାବରେ ବ୍ୟବହାର କରାଯାଏ।ତାଳ ପାକଳ ହେଲେ ବିଭିନ୍ନ ପୂଜା ପାର୍ବଣରେ ଭୋଗ ଲାଗେ।ପାଚିଲେ ତାଳରସରେ ପିଠା ହୁଏ। ଏବଂ ଏଥିରୁ ଗୁଡ଼ ପ୍ରସ୍ତୁତ ହୁଏ।ଏହାର ବାହୁଙ୍ଗାରୁ ଲଇ ହୁଏ। ପତ୍ରରୁ ବିଭିନ୍ନ ପ୍ରକାରର ଛୋଟ ବଡ଼ ପାତ୍ର ତିଆରି କରାଯାଏ।ଏବେବି ପୁରୀରେ ଜଗନ୍ନାଥଙ୍କ ଶୁଖିଲା ଭୋଗ ଏହି ତାଳପତ୍ର ତିଆରି ପାତ୍ରରେ ମିଳେ। ତେଣୁ ଏହିପରି ଉପକାରୀ ବୃକ୍ଷର ଆବଶ୍ୟକତାକୁ ଅନୁଭବ କରି କୁରାଳ ମାତୃଭୂମି ସଂଗଠନର କାର୍ଯ୍ୟକର୍ତ୍ତାମାନେ ପ୍ରତି ବର୍ଷ ୨ଶହରୁ ୫ଶହ ପର୍ଯ୍ୟନ୍ତ ତାଳ ବିହନ ଲଗାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାର ଉପକାରିତା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ଏହାକୁ ପ୍ରଶଂସା କରିବା ସହିତ ସାହାଯ୍ୟର ହାତ ବଢ଼ାଇଛନ୍ତି।ସମାଜର ମଙ୍ଗଳ ପାଇଁ ତେବେ ଆଗକୁ ବିଭିନ୍ନ ଜନହିତକର କାର୍ଯ୍ୟରେ ସଙ୍ଗଠନ ନିଜକୁ ସାମିଲ କରିବାକୁ ଇଚ୍ଛା ରଖିଛନ୍ତି।
