ରଣପୁର (ଭିଓଭି) : ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ରଣପୁର ପୋଲିସର ତତ୍ପରତାରେ ରଣପୁରରେ ହତ୍ୟା, ଚୋରି, ଡକାୟତ ଘଟଣାଗୁଡିକୁ ଗୁରୁତ୍ୱ ଦିଆଯାଇ ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆ ଯାଉଛି। ଯାହା ଫଳରେ ଖୁବ କମ ଦିନ ଭିତରେ ଘଟଣାଗୁଡିକର ସମାଧାନ ସହିତ ଅପରାଧୀମାନଙ୍କୁ ପୋଲିସ ଗିରଫ କରିବାରେ ସଫଳତା ଲାଭ କରି ପାରୁଛି। ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ରଣପୁର ପୋଲିସ ସଫଳତା ହାସଲ କରିବାରେ ଲାଗିଛି। ଦୁଇ ଦିନ ତଳେ ଏକ ପ୍ରେସ ମିଟ୍ ମାଧ୍ୟମରେ ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା ରଣପୁର ପୋଲିସ। ଆଜି ପୁଣି ଏକ ଡକାୟତତି ଘଟଣାର ପର୍ଦ୍ଦା ଫାଶ କରିବା ସହିତ ଡକାୟମାନଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି ରଣପୁର ପୋଲିସ। କିଛି ଡକାୟତ କିଛି ଦିନ ହେବ ବିଭିନ୍ନ ପଞ୍ଚାୟତ ଘର, ଲୋକଙ୍କୁ ଘରୁ ବିଭିନ୍ନ ଦାମୀ ଜିନିଷ ଚୋରି କରି ନେଉଥିବାର ଅଭିଯୋଗ ହେଉଥିଲା । ଗତ ୩ ତାରିଖରେ କାଣ୍ଡପଡା ସରପଞ୍ଚ ବିଜୟ କୁମାର ବେହେରା ନିଜ ଘରେ ଖାଇ ସାରି ଶୋଇଥିବା ବେଳେ ରାତି ୧ଟା ବେଳେ କାଣ୍ଡପଡା ଗ୍ରାମର କିଛି ଗ୍ରାମବାସୀ ତାଙ୍କୁ ଫୋନ କରିଥିଲେ। ପଞ୍ଚାୟତ ଅଫିସ ଆଗରେ ଧଳା ରଙ୍ଗର OD-07-R-1060 ନମ୍ବର ବିଶିଷ୍ଟ ଏକ କାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଘଟଣା ଗ୍ରାମବାସୀମାନେ ସରପଞ୍ଚଙ୍କୁ ଫୋନ ଯୋଗେ ଜଣାଇ ଥିଲେ। ଏହା ପରେ ସରପଞ୍ଚ କିଛି ଗ୍ରାମବାସୀଙ୍କ ସହିତ ପଞ୍ଚାୟତ ଅଫିସରେ ପହଂଚି ଥିଲେ | ସରପଞ୍ଚ ପହଂଚିବା ପରେ କାରର ଡ୍ରାଇଭର ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରିବା ସମୟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଯାଇଥିଲା ଓ ଡ୍ରାଇଭର ମଧ୍ୟ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା। କାର ଭିତରେ ଥିବା ଅନ୍ୟ ଜଣେ ଡକାୟତ ଲୋକଙ୍କୁ ବନ୍ଧୁକ ଦେଖାଇ ସେଠାରୁ ପଳାଇ ଯାଇଥିଲା | ଏହା ପରେ ଗ୍ରାମବାସୀ କାରକୁ ଖୋଲି ଦେଖିଥିଲେ। କାର ଭିତରୁ ଦୁଇଟି ଏଲଇଡ଼ି ଟିଭି, ଗୋଟିଏ ଇନଭର୍ଟର ବ୍ୟାଟେରୀ, ଗୋଟିଏ ଇନଭର୍ଟର ଥିବାର ଦେଖିଥିଲେ। ଏ ନେଇ କାଣ୍ଡପଡା ସରପଞ୍ଚ ଥାନାରେ ଏକ ଅଭିଯୋଗ କରିଥିଲେ। ଏହାପରେ ରଣପୁର ପୋଲିସ କେସ ନମ୍ବର -୨୧୧ ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ କାର ସହ ଚୋରି ସମାଗ୍ରୀ ମଧ୍ୟ ଜବତ କରିଥିଲା ରଣପୁର ପୋଲିସ | ସବ-ଇନ୍ସପେକ୍ଟର ରାଜେଶ କୁମାର ଶ୍ରୀ ଚନ୍ଦନ ଏହି ଘଟଣାର ତଦନ୍ତ କରୁଥିଲେ | ପରେ ଏହି ଘଟଣାରେ ବିହାର ରାଜ୍ୟ ବଙ୍କା ଜିଲ୍ଲାର ପଠାନ ଗ୍ରାମର ରତନ କୁମାର (୧୯) , କଟକ ଜିଲ୍ଲା ରାମଚଣ୍ଡୀ ଗ୍ରାମର ଶଙ୍କର ସ୍ୱାଇଁ (୨୪) ଓ ରତଗଡା ଗ୍ରାମର ଅଶୋକ ବାରିକ (୩୪) କୁ ଗିରଫ କରାଯାଇଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ବାଙ୍କୀ ଗ୍ରାମର ସୁଶାନ୍ତ ପାତ୍ର ଔରଫ ବଣ୍ଟି ଫେରାର ଥିବା ପୋଲିସ କହିଛି। ମୁଖ୍ୟ ଅଭିଯୁକ୍ତ ବଣ୍ଟିକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ.ଡି.ପି.ଓ ସୁଧାକର ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହା ସହ ସେମାନଙ୍କ ନାମରେ ଆଉ କେଉଁ କେଉଁ ଥାନାରେ କେଉଁ ଅଛି କି ନାହିଁ ତାହାର ତଦନ୍ତ ଚାଲିଥିବା କହିଛନ୍ତି। ଏହା ସହ ସେମାନେ ଆଉ କେଉଁ ଜାଗାରେ ଚୋରି ଡକାୟତି କରିଛନ୍ତି, ତାହାର ମଧ୍ୟ ତଦନ୍ତ ଚାଲିଛି ବୋଲି କହିଥିଲେ। ଏହି ପ୍ରେସ ମିଟରେ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଅତିରିକ୍ତ ଥାନା ଅଧିକାରୀ ପଞ୍ଚାନନ ପରିଡା, ସବ-ଇନ୍ସପେକ୍ଟର ରାଜେଶ କୁମାର ଶ୍ରୀ ଚନ୍ଦନ, ବିଶ୍ୱଭୂଷଣ ସିଂ, ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ଧର୍ମେନ୍ଦ୍ର ଶିଆଳ, ହାବିଲଦାର ପ୍ରଶାନ୍ତ କୁମାର ବରାଡ଼ଙ୍କ ସହିତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ।

