ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତି ପରିପ୍ରେକ୍ଷୀରେ ସବୁ ଦଳ ନିଜନିଜର ରଣକୌଶଳ ତିଆରି କରିବାରେ ଲାଗିଲେଣି । ବର୍ତ୍ତମାନ ସ୍ଥିତିରେ ଲୋକେ କୁହାକୁହି ହେଲେଣି, “ବିଜେଡି’ ଉଡୁଛି, “ବିଜେପି’ ଗୁରୁଣ୍ଡୁଛି, “କଂଗ୍ରେସ’ ଆଣ୍ଠେଇଛି, “ଆମ୍ ଆଦମି’ ପେଟେଇ ପଡ଼ିଛି ଆଉ ମୁଣ୍ଡ ଟେକିଲାଣି “ମୋ ଦଳ’ ।
ଜନନାୟକ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ଆଞ୍ଚଳିକ “ବିଜୁ ଜନତା ଦଳ’କୁ ପଚିଶି ବର୍ଷ ପୁରିଲାଣି । ପ୍ରତିଷ୍ଠା ଦିନଠାରୁ ତାଙ୍କ ସାନପୁଅ ନବୀନ ପଟ୍ଟନାୟକ ଦଳକୁ ଚଳାଇ ଆସିବା ସହ ଶାସନ ଭାର ନିଜ ହାତରେ ରଖିଛନ୍ତି ଏବଂ ଓଡ଼ିଶାବାସୀଙ୍କ ବିଶ୍ୱାସକୁ ଜିତିବାରେ ମଧ୍ୟ ସକ୍ଷମ ହୋଇ ପାରିଛନ୍ତି । ଏହା ନିଃସନ୍ଦେହ ରାଜ୍ୟରେ ନବୀନଙ୍କର ଏକ ନିଆରା କ୍ରେଜ୍ ରହିଛି । ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି (ମାଷ୍ଟର୍ ଷ୍ଟ୍ରୋକ୍) ନେଇ ସେ ବିରୋଧୀଙ୍କୁ ମାତ୍ ଦେବାରେ ମାହିର୍ । ସମ୍ପ୍ରତି ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ବା ସ୍ୱଚ୍ଛତା ବ୍ରାଣ୍ଡ୍କୁ ପାଥେୟ କରି ଭି. କେ. ପାଣ୍ଡିଆନ, ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଦଳର ସର୍ବୋଚ୍ଚ ମଙ୍ଗୁଆଳ ସାଜିଛନ୍ତି । ବାଘ ନ ଦେଖିଲେ ବିରାଡ଼ି ଦେଖ ନ୍ୟାୟରେ ଯୁଆଡ଼େ ଦେଖିବ ତାଙ୍କରି ନାଆଁ ଆଉ ତାଙ୍କରି ଚର୍ଚ୍ଚା । ବିଜୁ ଓ ନବୀନ ପଛକୁ ଏବେ ସେ ହଉଛନ୍ତି ବିଜୁ ଜନତା ଦଳର ପୋଷ୍ଟର ବଏ । ଦଳର ସାଧାରଣ କର୍ମୀ, ଛାମୁଆ ନେତା, ବିଧାୟକ ଓ ସାଂସଦ ମାନେ ବି ତାଙ୍କୁ ଆପଣେଇ ସାରିଲେଣି । ଟିକେଟ କଟିବା ଭୟରେ ଡରିକି ହେଉ କି ନିଜର ବ୍ୟବସାୟ ବଞ୍ଚେଇବା ପାଇଁ ସ୍ୱାର୍ଥ ସାଧନ ନିମିତ୍ତ ହେଉ ସମ୍ପୂର୍ଣ୍ଣ ଦଳ ଏବେ ଦଳର ଭବିଷ୍ୟତ ଭି.କେ. ପାଣ୍ଡିଆନ ଙ୍କ ପାଖେ ସମର୍ପିତ । ସେଥିପାଇଁ ଲୋକଙ୍କ ଉକ୍ତି ବିଜେଡି ଏବେ ଉଡୁଛି ଯଥାର୍ଥ ।
ଜାତୀୟ ଦଳ ବିଜେପି କଥା କହିଲେ ନ ସରେ । ଭାଙ୍ଗ ନିଶା ଉତୁରିଲା ଭଳି ଦଳ କେତେବେଳେ ଟିକିଏ ମୁଣ୍ଡ ଟେକୁଛି ତ କେତେବେଳେ ଦିଗହରା ହେଇପଡୁଛି । ନୂଆ ସଭାପତି ମନମୋହନ ସାମଲ, ଫାୟାର ବ୍ରାଣ୍ଡ ନେତ୍ରୀ ଅପରାଜିତାଙ୍କୁ ଧରି ହାଲାବୋଲା କଲାବେଳକୁ ଦିଲ୍ଲୀରୁ ଚତୁର ଚାଣକ୍ୟ ଅମିତ ସାହା ଆସି ଏମିତିକା ପାଣିଚିଆ କରିଦେଲେ ଯେ ସଭିଏଁ ଚୁପ୍ । ଆଦିବାସୀ ଜମି ପ୍ରସଙ୍ଗ କୁ ଧରି ଭୁବନେଶ୍ୱର ସାଂସଦ ଏକୁଟିଆ ବିଜେଡିକୁ ନାକେଦମ୍ କଲାବେଳକୁ କେନ୍ଦ୍ର ତିନି ଦିନରେ ଭି. କେ. ପାଣ୍ଡିଆନଙ୍କ ଅବସର ଗ୍ରହଣ ଆବେଦନକୁ ଗ୍ରହଣ କରିନେଲା । ସାଧାରଣରେ ଧାରଣା ଦୃଢ଼ ହେଲା ଯେ କେନ୍ଦ୍ର-ରାଜ୍ୟ ସଲାସୁତୁରା ରାଜନୀତି କରି ପରସ୍ପରକୁ ଆବଶ୍ୟକ ସମୟରେ ସମର୍ଥନ କରୁଛନ୍ତି । ଏ କଥା ମଧ୍ୟ ଆଉ କାହାରିକୁ ଅଛପା ନାହିଁ ଯେ କେନ୍ଦ୍ର ସରକାରଙ୍କ କୌଣସି ବିଷୟରେ ପାରିତ ହେବାକୁ ଥିବା ବିଲ୍କୁ ଉଭୟ ସଦନରେ ବିଜେଡି ନିଃସର୍ତ୍ତ ସମର୍ଥନ ଦେବ ଆଉ ପ୍ରତିବଦଳରେ ବିଜେପି ଓଡିଶା ଶାସନ ବ୍ୟାପାର ରେ ମୁଣ୍ଡ ଖେଳାଇବ ନାହିଁ । ଏହି ଗୋପନ ବୁଝାମଣାର ଫଳ ସ୍ୱରୁପ ଓଡ଼ିଶାରେ ତେଣୁ ବିଜେପି ଛୁଆ ଭଳି ଗୁରୁଣ୍ଡୁଛି, ଆଉ ମଝିରେ ମଝିରେ ଠିଆ ହେଲା ବେଳକୁ ସାହାରା ନ ପାଇ ତଳେ ପଡିଯାଉଛି ଉକ୍ତି ବି ଗ୍ରହଣ ଯୋଗ୍ୟ ।
ସବୁଠାରୁ ପୁରୁଣା ଜାତୀୟ ଦଳ କଂଗ୍ରେସର ଓଡ଼ିଶା ସ୍ଥିତି ନକହିବା ଭଲ । ଜେ. ବି. ପଟ୍ଟନାୟକ (ଜେ.ବି.), ବସନ୍ତ ବିଶ୍ୱାଳ (ବ.ବି) ଓ ହେମାନନ୍ଦ ବିଶ୍ୱାଳ (ହେ.ବି)ଙ୍କ ଅବର୍ତ୍ତମାନରେ ଓଡ଼ିଶାରେ କଂଗ୍ରେସ ଏକ ରକମର ମୃତ ଦଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦଳରେ ଯୋଗ୍ୟ ନେତାଙ୍କର ଅଭାବ ନାହିଁ । କିନ୍ତୁ ତାଳମେଳ ଅଭାବରୁ ଦଳ ଏବେ ରସାତଳରେ । ଯାହା ହେଲେ ଦିଲ୍ଲୀ ଚଲୋ ।
ସେଠାକୁ ଯାଇ ରାହୁଲ ବାବା ଆଉ ସୋନିଆ ମାଆଙ୍କୁ ଦେଖା କରିବାକୁ ଦଶଦିନ ଆଣ୍ଠେଇ ବାକୁ ପଡୁ ପଛେ ଚଳିବ । ଯୁବ ନେତା ଦଳ ପ୍ରତି ବିମୁଖ । ପୁରୁଖା ଓ ପୁରୁଣା ଚିନ୍ତାଧାରାର ନେତାମାନଙ୍କୁ ହିଁ କେନ୍ଦ୍ର ହାଇକମାଣ୍ଡ ଭରସା କରୁଛନ୍ତି । ସତ୍ୟ ନାୟକ, ପ୍ରଦୀପ ମାଝୀ, ଚିରଂଜୀବୀ ବିଶ୍ୱାଳ ଓ ମହମ୍ମଦ ମୋକିମ୍ଙ୍କ ଭଳି ପ୍ରତିଭା ଦଳ ପାଇଁ ଅଲୋଡ଼ା । ସେଇ ପୁରୁଖାମାନଙ୍କୁ ଧରି ଦଳ ଆଉ କେତେ ବାଟ ବା ଆଗେଇ ପାରିବ? ଏଇମିତି କେବଳ ଦିଲ୍ଲୀରେ ଯାଇ ଆଣ୍ଠେଇ ଆଣ୍ଠେଇ ତାଙ୍କର ସ୍ଥିତି ସୁଧୁରିବା ଭଳି ଜଣାପଡ଼ୁନି । ଲୋକମତରେ ବିଜେଡି-ବିଜେପି ମଧୁଚନ୍ଦ୍ରିକାକୁ ଭାଙ୍ଗିବା ପାଇଁ କଂଗ୍ରେସର ଦମ୍ ଅଛି । କିନ୍ତୁ ସମନ୍ୱୟର ଅଭାବ ହେତୁ ସର୍ବ ପୁରାତନ ଦଳ ଓଡ଼ିଶାରେ ସେମିତି ଆଣ୍ଠେଇ କି ପଡ଼ିଥିବେ ।
ଅରବିନ୍ଦ କେଜ୍ରିୱାଲଙ୍କ ଦଳ “ଆମ୍ ଆଦମି ପାର୍ଟି” ଏଠି ଏକପ୍ରକାର ନିଷ୍କ୍ରିୟ କହିଲେ ଚଳେ । ପୂର୍ବରୁ ଦଳ ବିଷୟରେ ଅଳ୍ପ ବହୁତ ଯାହା ଟିକିଏ ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲା ହେଉଥିଲା । କିନ୍ତୁ ମନିଷ୍ ସିଶୋଡ଼ିଆ, ସଞ୍ଜୟ ସିଂ ଓ ନିଜେ କେଜ୍ରିୱାଲ ଦିଲ୍ଲୀ ମଦ ଦୁର୍ନୀତିରେ ସମ୍ପୃକ୍ତ ହେବାର ବିଷୟକୁ ନେଇ ଆପ୍ର ସେ ପୁରୁଣା କ୍ରେଜ ଏବେ ମଳିନ । ବିଶେଷ କରି ଆଦର୍ଶର ଜ୍ଞାନ ବାଣ୍ଟୁଥିବା କେଜ୍ରିୱାଲ “ଇଣ୍ଡିଆ’ ମେଣ୍ଟରେ ସାମିଲ୍ ହେବା ପରେ ଲୋକେ ତାଙ୍କଠାରୁ ମୁହଁ ଫେରାଇଲେଣି । ଏବେ ଆପ୍ର ଓଡ଼ିଶା ମୁଖିଆ ନିଶିକାନ୍ତ ମହାପାତ୍ରଙ୍କ ବିଶେଷ ରାଜନୈତିକ ଅଭିଜ୍ଞତା ନାହିଁ । ଦଳ ଆଉ କର୍ମୀଙ୍କୁ ସଚଳ ରଖିବା ନିମନ୍ତେ ଆବଶ୍ୟକ ହେଉଥିବା ହେଉଥିବା ଅର୍ଥ ନଥିବାରୁ ଦଳର ସାଙ୍ଗଠନିକ ସ୍ଥିତି ବହୁତ ଦୁର୍ବଳ । ଅଭିଜ୍ଞ କର୍ମୀମାନେ ଦଳ ଛାଡ଼ି ଚାଲିଯାଉ ଥିବାରୁ ଦଳ ଏକ ପ୍ରକାର ପେଟେଇ ପଡ଼ିଛି । ନିଜର ସ୍ଥିତିକୁ ବଜାୟ ରଖିବାକୁ ସଂଘର୍ଷ କରୁଥିବା ଆମ୍ ଆଦମି ପାର୍ଟି ଉଡୁଥିବା ବିଜେଡି ଦଳକୁ ଚେକ୍ ଦେବ କେମିତି? ଏଭଳି ଏକ ଫେଣ୍ଟାଫେଣ୍ଟି ମାହୋଲ ସମୟରେ ମୁଣ୍ଡ ଟେକିଲାଣି “ମୋ ଦଳ’ । ନବୀନ’ଙ୍କ ବୟସାଧିକ କାରଣ ପାଇଁ ହେଉ କି ପାଣ୍ଡିଆନ୍ ସାହେବଙ୍କ ଶାସନର ପ୍ରତିଟି କ୍ଷେତ୍ରରେ ଆବଶ୍ୟକତାଠାରୁ ଢେର ଅଧିକ ହସ୍ତକ୍ଷେପ ହେଉ, ଏଥିରେ ଜନସାଧାରଣ କେତେକାଂଶ ରେ ଅତିଷ୍ଠ ହୋଇ ପଡ଼ିଲେଣି । ଏବେ ସକଳ ସମ୍ଭାବନା ସତ୍ତ୍ୱେ ସାଧାରଣ ଲୋକ ବିଜେଡି ଭଳି ଏକ ବିକଳ୍ପ ସ୍ୱଚ୍ଛ ଦଳ ଖୋଜୁଛନ୍ତି । ସମ୍ପ୍ରତି “ମୋ ଦଳ’ର ମଙ୍ଗୁଆଳ କୃଷକ ନେତା ଅକ୍ଷୟ କୁମାର ଓ ଆର.ଟି.ଆଇ ଆକ୍ଟିଭିଷ୍ଟ ପ୍ରଦୀପ ପ୍ରଧାନଙ୍କୁ ଲୋକେ ବିଶ୍ୱାସକୁ ନେବା ସହିତ ସମର୍ଥନ ବି ଦେବା ଆରମ୍ଭ କଲେଣି । ସେମାନଙ୍କର ଦଳୀୟ ସଭାରେ ସ୍ୱତଃପ୍ରବୃତ୍ତ ଭାବରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେବା କଥା ରାଜନୈତିକ ସମୀକ୍ଷକ ଓ ବୁଦ୍ଧିଜୀବୀମାନେ ଆଲୋଚନା କଲେଣି । ମୁଣ୍ଡ ଟେକୁଥିବା ନୂଆ ଆଞ୍ଚଳିକ ଦଳ “ମୋ ଦଳ’ କ’ଣ “ବିଜେଡି’ର ବିକଳ୍ପ ହୋଇପାରିବ କି? ଏଭଳି ଏକ ତୁଣ୍ଡ ବାଇଦ ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଓଲଟପାଲଟ କରିଦେବ କି? ଏକଥା ସମୟ କହିବ କି ଲୋକେ କାହାକୁ ଭରସା କରିବେ ।
