• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ଅଭିଯୋଗ

ଗନ୍ଧ ଛୁଇଁଲା ଲିଙ୍ଗରାଜ ମନ୍ଦିର

by Voice of Victims
December 25, 2023
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସମସ୍ୟା, ସମସ୍ୟା ଅଭିଯୋଗ
ଗନ୍ଧ ଛୁଇଁଲା ଲିଙ୍ଗରାଜ ମନ୍ଦିର

-ଆଗରୁ ଭୁବନେଶ୍ୱରବାସୀ ଶୁଙ୍ଘୁଥିଲେ, ଏବେ ପର୍ଯ୍ୟଟକ ଶୁଙ୍ଘିଲେଣି
-ବି.ଏମ.ସି.ର ଅବାନ୍ତର ପରାମର୍ଶ – ଗଛ ଲଗାଅ
ମନ୍ଦିରମାଳିନୀ ସହର ତଥା ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଗଦା ହେଉଥିବା ଅଳିଆ ଯୋଗୁ ଜନଜୀବନ ଦିନକୁଦିନ ଅତ୍ୟନ୍ତ ଦୟନୀୟ ହେବାରେ ଲାଗିଛି । କେବେ ହକି ବିଶ୍ୱକପ୍ ପାଇଁ ରାଜଧାନୀ ଚକାଚକ୍ ହେଇଯାଉଛି ତ କେବେ ମାନ୍ୟବର ପ୍ରଧାନମନ୍ତ୍ରୀ କିମ୍ବା ମହାମହିମ ରାଷ୍ଟ୍ରମୁଖ୍ୟ ପାଇଁ ଗସ୍ତ ପାଇଁ ଭୁବନେଶ୍ୱର ରଙ୍ଗାରଙ୍ଗ୍ ହେଇଯାଉଛି । କେବେ ସୈାନ୍ଦର୍ଯ୍ୟକରଣ ପାଇଁ ଭଙ୍ଗାରୁଜା ହୋଇ ପୁନଃନିର୍ମାଣ ସହ ଭୁବନେଶ୍ୱର ସହର ଝଲସୁଛି । ଏସବୁ ବ୍ୟତିରକେ ବିପର୍ଯ୍ୟସ୍ତ ବର୍ଯ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁଏକ ମୁଣ୍ଡବିନ୍ଧା କାରଣ ପାଲଟିଛି ।
ସୈନିକ ସ୍କୁଲ ନିକଟରେ ଅଳିଆଗଦାର ଗନ୍ଧ ଏବେ ସମସ୍ତଙ୍କର ନିଦ ହଜାଇବା ସହ ଦୈନନ୍ଦିନ ଜୀବନକୁ ହନ୍ତସନ୍ତ କରିଦେଲାଣି । ଅଳିଆଗଦାର ଦୁର୍ଗନ୍ଧ ସାରା ସହରକୁ ବ୍ୟାପି ଗଲାଣି । ଆଗରୁ ମଞ୍ଚେଶ୍ୱର ରେଳ କଲୋନୀ, ଭି.ଏସ.ଏସ ନଗର, ଗାଢ଼କଣା, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ବାଣୀବିହାର ଭିତରେ ସୀମିତ ଥିବା ପୋଚା ଅଳିଆର ଦୁର୍ଗନ୍ଧ ଏବେ ଧୀରେଧୀରେ ସେ ଅଞ୍ଚଳ ଡେଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପାଖରେ ପହଞ୍ଚି ସାରିଲାଣି । ସୁଲୁସୁଲିଆ ଥଣ୍ଡା ପବନ ସାଙ୍ଗକୁ ପୂତିଗନ୍ଧମୟ ଦୁର୍ଗନ୍ଧରେ ଏବେ ଫାଟି ପଡ଼ୁଛି ପୁରୁଣା ଭୁବନେଶ୍ୱର ଅଞ୍ଚଳ । ସକାଳ ଓ ସନ୍ଧ୍ୟା ସମୟରେ ଅନୁଭୂତ ହେଉଛି ଅସହଣୀୟ ଦୁର୍ଗନ୍ଧ । ଲିଙ୍ଗରାଜଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ସକାଳେ ପ୍ରାତଃଭ୍ରମଣ ଓ ସଂଧ୍ୟାରେ ସାନ୍ଧ୍ୟଭ୍ରମଣ କରୁଥିବା ଲୋକମାନେ ମାସ୍କ୍ ପିନ୍ଧି ଭ୍ରମଣ କରିବାକୁ ଏକରକମ ବାଧ୍ୟ ହେଉଛନ୍ତି । ଲିଙ୍ଗରାଜଙ୍କ ଦର୍ଶନ ପାଇଁ ରାଜ୍ୟ ବାହାରୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ଦୁର୍ଗନ୍ଧ ସମ୍ଭାଳି ନ ପାରି ମୁହଁ-ନାକକୁ ରୁମାଲରେ ଢାଙ୍କି ପ୍ରଭୁଙ୍କ ଦର୍ଶନ ନିମନ୍ତେ ଯାଉଛନ୍ତି । ସ୍ଥାନୀୟ ସାମନ୍ତାରପୁର, ଗ୍ୟାରେଜ ଛକ, ଗୌରୀନଗର ଅଞ୍ଚଳ ବାସୀମାନେ କବାଟ ଝରକା ବନ୍ଦକରି ଘରେ ରହିବାକୁ ଉଚିତ ମଣୁଛନ୍ତି । ବି.ଏମ୍‌.ସି ମେୟର ଓ କମିଶନର୍‌ଙ୍କ ଆଶ୍ୱାସନା ଆଉ କିଛି କାମ ଦେଉନାହିଁ । ଦୁଇ ମାସ ତଳେ ଯେଉଁ ଭଳି ଦୁର୍ଗନ୍ଧମୟ ପରିବେଶ ଥିଲା ଏବେ ମଧ୍ୟ ସେଇ ସମାନ ଅବସ୍ଥା ରହିଛି । ନିକଟରେ ବର୍ଷା ସାଙ୍ଗକୁ କାକର ପଡ଼ି ଦୁର୍ଗନ୍ଧ ଦୁଇଗୁଣ ହେଲାଣି ।
କିଛି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଯଦି ଆଲୋଚନା କରାଯାଏ ତେବେ ଏହାକୁ ପ୍ରଶାସନିକ ଅବ୍ୟବସ୍ଥା କିମ୍ବା ଅବହେଳା ବୋଲି କୁହାଯାଇପାରେ । ବିଭିନ୍ନ ସମୟରେ ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ଜନବସତି ମଧ୍ୟରେ ଅଳିଆ ଆବର୍ଜନା ଗଚ୍ଛିତ କରି ରଖିବାକୁ ମନା କରିଥିବାର ନିର୍ଦ୍ଦେଶ କୁ ରାଜ୍ୟ ସରକାର ଓ ପ୍ରଶାସନ ଅଣଦେଖା କରୁଥିବାର ଏହା କୁପରିଣାମ ।
ଭୁବନେଶ୍ୱରର ସୈନିକ ସ୍କୁଲ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ପାଠପଢ଼ା ସହିତ ସ୍ୱତନ୍ତ୍ର ଭାବରେ ଦେଶ ସୁରକ୍ଷାର ପାଠ ପଢୁଥିବା ବିଦ୍ୟାର୍ଥୀମାନେ ରୁହନ୍ତି । ଏହିଭଳି ଗୁରୁତ୍ୱ ବହନ କରୁଥିବା ଓ ନିରାପତ୍ତାର ପାଠ ପଢ଼ାଯାଉଥିବା ଅନୁଷ୍ଠାନର ପାଚେରୀକୁ ଲାଗି ତା’ଠାରୁ ଅଧିକ ଉଚ୍ଚତାରେ ଅଳିଆ ଗଦା କରିବା କେତେ ଯୁକ୍ତିଯୁକ୍ତ ଏବଂ ତାହା ସେହି ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଜୀବନ ପ୍ରତି କେତେ ବିପଦ ତାହା ଏବେ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କଲେଣି । ରାଜନୈତିକ ଦଳମାନେ ଏହାର ଫାଇଦା ନେଇ କିଏ ସତ୍ୟାଗ୍ରହ ଚଳାଇଛନ୍ତି ତ କିଏ ଆନ୍ଦୋଳନ କରି ରାଜ୍ୟବାସୀଙ୍କ ମନ ଜିଣିବାକୁ ଏକ ସୁଯୋଗ ବୋଲି ଭାବି ନିଜର ଚେଷ୍ଠା ଜାରି ରଖିଛନ୍ତି । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ମ୍ୟୁନିସପାଲିଟିର ବଡ଼ବାବୁମାନେ ଯାଇ ପରାମର୍ଶ ଦେଉଛନ୍ତି ଯେ ପ୍ରଚୁର ପରିମାଣରେ ଗଛ ଲଗାଇଲେ ଦୁର୍ଗନ୍ଧରୁ ମୁକ୍ତି ମିଳିବ । ଗଛ ଲଗାଇଲେ ପରିବେଶ ଭଲ ରୁହେ, ବାୟୁମଣ୍ଡଳ ଦୂଷିତ ହୁଏନାହିଁ, ଅଙ୍ଗାରକ୍ଳାମ ନିର୍ଗତ ଓ ଅମ୍ଳଜାନ ଗ୍ରହଣ ସୁବିଧାରେ ହୋଇପାରେ । ଗଛ ଲଗାଇବା ଦ୍ୱାରା ବହୁତ ଉପକାର ମିଳେ ଏହା ନିଃସନ୍ଦେହ, କିନ୍ତୁ ଗଛ ଲଗାଇଲେ ଦୁର୍ଗନ୍ଧ କମିବ ଏହା କେଉଁ ଶ୍ରେଣୀର ପାଠରେ ଅଛି ତାହା ଏବେ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କଲେଣି ।
ବିଏମସି ଏବେ ଅଳିଆ ଗଦା ପାହାଡ଼ର ଉଚ୍ଚତାକୁ କମ ଦେଖାଇବା ନିମନ୍ତେ ସେଇ ଅଳିଆ ଗଦାସବୁକୁ ସମାନ କରି ସେହିଠାରେ ସେଥିରେ କେତେ ପ୍ରକାରର କେମିକାଲ ଛିଞ୍ଚିବାରେ ବ୍ୟସ୍ତ । ତଥାପି ଦୁର୍ଗନ୍ଧ ରୁ ନିସ୍ତାର ମିଳୁନାହିଁ । ସେହି ନିକଟରେ ଥିବା କିଛି ବଡବଡ ଡାକ୍ତରଖାନା କୁ ରାଜ୍ୟର ବିଭନ୍ନ କୋଣ ଅନୁକୋଣରୁ ରୋଗୀମାନେ ଚିକିତ୍ସା ନିମନ୍ତେ ଆସୁଛନ୍ତି । ଏବେ ସେମାନେ ମଧ୍ୟ ଅଭିଯୋଗ କଲେଣି ଆମେ ଏଠାରେ ନିଜର ରୋଗ ଭଲ କରିବୁ କ’ଣ ବରଂ ଏଠାକୁ ଆସି ଶ୍ୱାସ ରୋଗ ସହିତ ଚର୍ମ ରୋଗ ଓ ମାରାତ୍ମକ କ୍ୟାନସର୍ ବେମାରିକୁ ସାଙ୍ଗରେ ଧରି ଯିବୁ । ଡାକ୍ତରମାନଙ୍କର ବି ସମାନ ମତ, ଅସୁସ୍ଥ ପରିବେଶ, ବାୟୁ ପ୍ରଦୂଷଣ, ହିଁ ଅନେକ ରୋଗ ର କାରଣ । ବିଜେପି ଆଉ କଂଗ୍ରେସର ଅଭିଯୋଗ ରାଜଧାନିରେ ବି.ଏମ.ସି ସ୍ଥାଣୁ ପାଲଟିଗଲାଣି । ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ସ୍ମାର୍ଟସିଟିବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । ଯେ ପର୍ଯ୍ୟନ୍ତ ଅଳିଆ ଗଦା ଏଠାରୁ ନହଟିଛି ସେ ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ । ଏ ଦିଗରେ ବି.ଏମ.ସି ପ୍ରଶାସନ ଯତ୍ନବାନ ନହେଲେ ରାଜଧାନୀବାସୀଙ୍କ ଦୁର୍ଦ୍ଦଶା ବଢ଼ିବ ସିନା କମିବ ନାହିଁ ।


ଜ୍ଞାନ ରଂଜନ ମିଶ୍ର
ସମ୍ପାଦକ, ଭଏସ୍ ଅଫ୍ ଭିକ୍ଟିମ୍ସ

Post Views: 48
Share200Tweet125Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In