ବାଲେଶ୍ଵର ( ଭିଓଭି ): ବାଲେଶ୍ୱର ଜିଲ୍ଲା ନୀଳଗିରି ଭାଲୁକାଶୁଣି ଜଙ୍ଗଲରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ ଜଣକ ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର ଅଞ୍ଚଳର ଭରତ ଜେନାଙ୍କ ପୁଅ ଶୁଭମ ଜେନା ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ବରହମପୁର ପୁଲିସ ପହଞ୍ଚି ତଦନ୍ତ କରୁଛି । ଶୁଭମଙ୍କର କୁରୁଡ଼ା ଠାରେ ଏକ ପୁରୁଣା କାର୍ ବିକ୍ରି ସୋରୁମ୍ ରହିଛି । ଗତ କାଲି ଅପରାହ୍ନ ୪ଟା ସମୟରେ ଦୋକାନ କାମ ସାରି ନିଜ ସାଙ୍ଗକୁ ମିତ୍ରପୁରରେ ଛାଡ଼ି କପ୍ତିପଦା ଯିବେ ବୋଲି କହି ଘରୁ ବାହାରିଥିଲେ । ସନ୍ଧ୍ୟା ୭ ପୂର୍ବରୁ ଫେରିବେ ବୋଲି କହି ଯାଇଥିବା ଶୁଭମ ରାତି ୯ ଟା ଯାଏ ଫେରି ନ ଥିଲେ ।

ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ପରେ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହକୁ ଦେଖିଥିଲେ । ନିକଟରେ ଏକ ପଲସର ବାଇକ ଥିଲା । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶୁଭମଙ୍କୁ ଠାବ କରିଥିଲେ । ଟଙ୍କା ନେଣଦେଣ କୁ କେନ୍ଦ୍ର କରି ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି ।
