ଟୋକିଓ: ମିଆଁମାର ପରେ ଥରିଲା ଜାପାନ । ଆଜି (ମଙ୍ଗଳବାର) ସଂଧ୍ୟାରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମିଆଁମାର ପରେ ଜାପାନରେ ଏହା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ରହିଥିଲା। ଭାରତୀୟ ସମୟ ଅନୁସାରେ ୭.୩୪ ସଂଧ୍ୟାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ଖବର ମିଳିନାହିଁ।
ବର୍ତ୍ତମାନ ଏହି ଭୂକମ୍ପ ପରେ ଜାପାନ ପାଣିପାଗ ବିଭାଗ କୌଣସି ସୁନାମି ଚେତାବନୀ ଦେଇନାହିଁ। ଜାପାନର ତୃତୀୟ ବୃହତ୍ତମ ଦ୍ୱୀପ ହେଉଛି କ୍ୟୁଶୁ ଓ ଏହା ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳ ଅଟେ । ସ୍ଥାନୀୟ ପ୍ରଶାସନ ବାସିନ୍ଦାଙ୍କୁ ସତର୍କ ରହିବାକୁ ଏବଂ ସମ୍ଭାବ୍ୟ ଝଟକା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି। ଏହି ଭୂକମ୍ପ ଝଟକା ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘର ଏବଂ କୋଠାରୁ ବାହାରକୁ ଆସିଯାଇଥିଲେ।
ମିଆଁମାରରେ ଗତ ୨୮ ମାର୍ଚ୍ଚ ୨୦୨୫ରେ ଘଟିଥିବା ୭.୭ ତୀବ୍ରତାର ଭୂମିକମ୍ପ ସେଠାକାର ସାଗାଇଙ୍ଗ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୩୦୦୦ ଲୋକଙ୍କ ପ୍ରାଣହାନୀ ହୋଇଛି ଏବଂ ୪୦୦୦ ପାଖାପାଖି ଲୋକ ଆହତ ହୋଇଛନ୍ତି ।
