ଶିମିଳିପାଳ (ଭିଓଭି): ୨ ହଜାର ୭୫୦ ବର୍ଗକିଲୋମିଟର ବିଶିଷ୍ଟ ଶିମିଳିପାଳ ଅଭୟାରଣ୍ୟରେ ୧୨ଟି ରେଞ୍ଜ, ୨୧୪ଟି ଆଣ୍ଟି ପୋଚିଙ୍ଗ୍ କ୍ୟାମ୍ପ, ୧୬ଟି ୱାଚ୍ ଟାୱାର ଓ ୧୯ଟି ଚେକ୍ ପଏଣ୍ଟ ରହିଛି ।
ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ । ୨ ହଜାର ୭୫୦ ବର୍ଗ କିଲୋମିଟର ବିଶିଷ୍ଟ ଏହି ଅଭୟାରଣ୍ୟର ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକ କର୍ମଚାରୀ । ଫାଙ୍କା ପଡ଼ିଛି ୧୮୧ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ । ଉତ୍ତର ଶିମିଳିପାଳ ଡିଭିଜନରେ ୪୦ ଫରେଷ୍ଟର ପଦବୀ ରହିଛି । ସେଥିରେ ୨୪ ପଦବୀ ଖାଲି ପଡ଼ିଛି । ସେହିପରି ୮୧ ଫରେଷ୍ଟ ଗାର୍ଡ ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୩୦ । ବର୍ତ୍ତମାନ ଫାଙ୍କା ପଡ଼ିଛି ୫୧ଟି ପଦବୀ । ସମାନ ଅବସ୍ଥା ଦକ୍ଷିଣ ଶିମିଳିପାଳ ଡିଭିଜନରେ । ଏଠାରେ ୧୨ ଫରେଷ୍ଟର ପଦବୀ ଓ ୪୩ ଫରେଷ୍ଟ ଗାର୍ଡ ପଦବୀ ଫାଙ୍କା ରହିଛି । ଏମିତି ସ୍ଥିତିରେ କେବଳ ଗାଡ଼ି ଯୋଗାଇଦେଲେ, କେମିତି ହେବ ଶିମିଳିପାଳର ସୁରକ୍ଷା? ଗତ ୨୯ ତାରିଖରେ ଶିମିଳିପାଳ ସୁରକ୍ଷାରେ ରାଜ୍ୟ ସରକାର ୧୪ଟି କଷ୍ଟମାଇଜଡ୍ ଭେଇକିଲ୍ ନିୟୋଜିତ କରିବା ପରେ ଏମିତି ପ୍ରଶ୍ନ କରିଛି ରାଜ୍ୟ ଫରେଷ୍ଟ ଗାର୍ଡ ସଂଘ ।
ଆଉ ଅଭିଯୋଗ କରିଛି, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଲେନି । ତେଣୁ ଏସବୁ ନୂଆ ଗାଡ଼ିରେ କିଏ ବସିବେ ଓ କେମିତି ଶିମିଳିପାଳକୁ ସୁରକ୍ଷା ଯୋଗାଯିବ ବୋଲି ପ୍ରଶ୍ନ କରିଛି ସଂଘ ।
୨ ହଜାର ୭୫୦ ବର୍ଗକିଲୋମିଟର ବିଶିଷ୍ଟ ଶିମିଳିପାଳ ଅଭୟାରଣ୍ୟରେ ୧୨ଟି ରେଞ୍ଜ, ୨୧୪ଟି ଆଣ୍ଟି ପୋଚିଙ୍ଗ୍ କ୍ୟାମ୍ପ, ୧୬ଟି ୱାଚ୍ ଟାୱାର ଓ ୧୯ଟି ଚେକ୍ ପଏଣ୍ଟ ରହିଛି । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି, ପ୍ରତି ରେଞ୍ଜ ପାଇଁ ଅତିକମରେ ୨ଟି ଗାଡ଼ି ଦରକାର । ତେଣୁ ଖୁବଶୀଘ୍ର ଶିମିଳିପାଳକୁ ଆଉ ୧୦ଟି ଗାଡ଼ି ଦରକାର ପଡ଼ିବ । ବନ୍ୟପ୍ରାଣୀ ବିଶେଷଜ୍ଞ କହିବା ମୁତାବକ ଶିମିଳିପାଳରେ ପୂର୍ବରୁ ନିୟୋଜିତ ଗାଡ଼ିର ଠିକ ଭାବେ ରକ୍ଷଣାବେକ୍ଷଣ ହେଉନି । ତେଣୁ ଅନେକ ଗାଡ଼ି ସେବାରେ ଲାଗିପାରୁନି । ଏହାଛଡ଼ା ଶିମିଳିପାଳ ପାଇଁ ଚାଲି ଚାଲି ପାଟ୍ରୋଲିଂ ସବୁଠୁ ଭରସାଯୋଗ୍ୟ ।
