ଏହି ପ୍ରଦର୍ଶନୀରେ ଗୋଲାପ, ଡାହାଲିଆ, ସେବତୀ, ଗେଣ୍ଡୁ, ଜଣବେରା, ଜିନିଆ, ଆଷ୍ଟର ପ୍ରଭୁତି ବହୁ ଅଧିକ କିସମ ଫୁଲର ସମାହାର ସହ ବିଭିନ୍ନ କିସମର ପତ୍ର ଗଛ ଯଥା- ଫର୍ଣ୍ଣ, ଆଗ୍ଲୋନିମା, ପାମ୍, ଭଳି ଅନେକ ଗଛ ପ୍ରଦର୍ଶିତ ହୋଇଥିଲା। ଏହା ସହିତ ଅତିଥିମାନେ ରିଜିଓନାଲ୍ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ରିସର୍ଚ୍ଚ ଆଣ୍ଡ ଆକଫିଭିଟି ରିପୋର୍ଟ୍ ୨୦୨୨-୨୩ ସହ ପ୍ଳାଣ୍ଟ ଲଭର୍ସ ଆସୋସିଏସନ୍ର ବାର୍ଷିକ ପତ୍ରିକା ‘ସବୁଜିମା-୨୦୨୪’ ଉନ୍ମୋଚନ କରିଥିଲେ। ପୂର୍ବତନ ପ୍ରିନ୍ସିପାଲ ଚିଫ କଞ୍ଜରଭେଟର ଅଫ ଫରେଷ୍ଟ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ପୁଷାଝୁଲେ ମେକରେ ଚିତ୍ର ଓ ପୋଷ୍ଟର ଓ ଗାର୍ଡନ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ହେଲା ପ୍ଲାଣ୍ଟ ବଜାର। ଚଳିତ ବର୍ଷ ୩୬ଟି ସଂସ୍ଥା, ୧୯ ଟି ନର୍ସରୀ, ୪୪ ଟି ଷ୍ଟଲ ଏହି ପ୍ଳାଣ୍ଟ ବଜାରରେ ନର୍ସରୀ ଓ ବଗିଚା ଉପକରଣ ଇିତ୍ୟାଦି ବିକିବା ସହ ବିଭିନ୍ନ ଗଛର ଚାରା, ମଞ୍ଜି, କଲମିକରା ଡାଳ ଓ ଭର୍ଟିକାଲ ପ୍ଳାଣ୍ଟ ଆଦି ବିକ୍ରିବଟା କରିଛନ୍ତି। ଫୁଲଫଳର ଚାରା ସହିତ ବିଭିନ୍ନ ରଙ୍ଗବେରଙ୍ଗର ସେରାମିକ ଫୁଲ କୁଣ୍ଡ, ଫୁଲଦାନି ଇତ୍ୟାଦି ସହ ପରିଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରୁଛି। ସର୍ବସାଧାରଣଙ୍କ ନିମନ୍ତେ ଦେୟମୁକ୍ତ ଦୁଇଦିନ ପାଇଁ ଏହି ପ୍ରଦର୍ଶିନୀ ଖୋଲା ରହିଥିବାବେଳେ ଆଜି ପ୍ରଥମ ଦିନରେ ପ୍ରାୟ ୧୫ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ଆଜି ରବିବାର ହୋଇଥିବାରୁ ଅଧିକ ଲୋକଙ୍କର ସମାଗମ ହେବ ବୋଲି ଆଶା କରାଯାଉଛି। ଏହି ଦୁଇଦିନିଆ ଉତ୍ସବରେ ଓଡ଼ିଶା ଖଣି ନିଗମ ଲିମିଟେଡ, ଓଡ଼ିଶା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ, ନାଲକୋ, ଏମ୍ଜିଏମ୍ ମିନେରାଲସ (ପ୍ରା) ଲିମିଟେଡ ଓ ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ ଘରୋଇ ଅନୁଷ୍ଠାନ ଆଦି ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଏହି ପ୍ରଦର୍ଶନୀର ଶେଷ ଦିନରେ ଅର୍ଥାତ ୧୪ ଜାନୁଆରୀରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।
