ନୂଆଦିଲ୍ଲୀ: କୋଲକତା ନୁହେଁ ଅହମଦାବାଦରେ ଖେଳାଯିବ ଆଇପିଏଲ ୨୦୨୫ ଫାଇନାଲ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ମଙ୍ଗଳବାର ଦିନ ଏକ ବୈଠକ କରିବା ପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ଏହାସହିତ ଆଇପିଏଲ୍ ୨୦୨୫ରେ ପ୍ଲେଅଫ୍ ପାଇଁ ନୂଆ ଭେନ୍ୟୁ ଘୋଷଣା କରିଛି ବିସିସିଆଇ ।
କୋଲକାତାର ଇଡେନ୍ ଗାର୍ଡେନ୍ସ ପରିବର୍ତ୍ତେ ଏବେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । କ୍ୱାଲିଫାୟାର ୧ ଓ ଏଲିମିନେଟର୍ ମ୍ୟାଚ୍ ପାଇଁ ଷ୍ଟାଡିୟମ ପରବର୍ତ୍ତନ କରାଯାଇଛି । ଦୁଇଟି ଯାକ ମ୍ୟାଚ ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଖେଳାଯିବ । ପୂର୍ବରୁ ଏହି ଦୁଇ ମ୍ୟାଚ୍ର ଆୟୋଜନ ହାଇଦ୍ରାବାଦରେ ହୋଇଥିଲା ।

ପ୍ରଥମ କ୍ବାଲିଫାୟାର ମ୍ୟାଚ ଜୁନ୍ ୧ ତାରିଖରେ ଖେଳାଯିବ ।ଆଇପିଏଲ ଅଫିସିଆଲ ଆକାଉଣ୍ଟରେ ସେୟାର କରିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜୁନ୍ ୩ରେ ଆଇପିଏଲ୍ ଫାଇନାଲ୍ ଖେଳାଯିବ । କ୍ୱାଲିଫାୟାର-୨ ମଧ୍ୟ ଏଠାରେ ଖେଳାଯିବ । ଅନ୍ୟପଟେ ମୁଲ୍ଲାନପୁରର ମହାରାଜ ୟାଦବେନ୍ଦ୍ର ସିଂହ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମେ ୨୯ରେ କ୍ୱାଲିଫାୟାର-୧ ଓ ମେ ୩୦ରେ ଏଲିମିନେଟର୍ ମୁକାବିଲା ଖେଳାଯିବ ।
ତେବେ କ୍ବାଲିଫାୟାର ୧ ଓ ଏଲିମିନେଟର ମ୍ୟାଚ୍ ପାଇଁ ଷାଡିୟମ୍ ପରିବର୍ତ୍ତନ ପଛରେ ବର୍ଷା ପ୍ରମୁଖ କାରଣ । ଦେଶରେ ଧୀରେ ଧୀରେ ମୌସୁମୀ ପ୍ରବେଶ କରୁଥିବାରୁ ଦକ୍ଷିଣ ଭାରତରେ ବର୍ଷା ଆରମ୍ଭ ହୋଇସାରିଛି । ବର୍ଷା ଓ ଖରାପ ପାଗ କାରଣରୁ ଆରସିବି ଓ ହାଇଦ୍ରାବାଦ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି । ଏହି ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥାନ୍ତା ।
ତେବେ ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗସ, ଗୁଜରାଟ ଟାଇଟନ୍ସ ପ୍ଲେ ଅଫ ପାଇଁ କ୍ବାଲିଫାଏ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚତୁର୍ଥ ସ୍ଥାନ ପାଇଁ କନଫର୍ମ ହେବ । ଆଇପିଏଲରୁ ଚେନ୍ନାଇ ସୁପରକିଙ୍ଗସ, ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକତା ନାଇଟ ରାଇଡର୍ସ ବାଦ୍ ପଡିଛନ୍ତି ।
