ନୂଆଦିଳ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସ କମ୍ପାନୀ ବହୁତ ସତର୍କ ହୋଇଯାଇଛନ୍ତି । ପୁଣି ଏକ ବିମାନ ମଝି ଆକାଶରୁ ଫେରିଆସିଛି । ଆଜି ହାଇଦ୍ରାବାଦରୁ ତିରୁପତି ଯାଉଥିବା ସ୍ପାଇସଜେଟ Q400 ବିମାନ ଉଡ଼ାଣ ଭରିଥିଲା, ହେଲେ ବିମାନରେ କିଛି ବୈଷୟିକ ତ୍ରୁଟି ଦେଖି ଅଧା ରାସ୍ତାରୁ ଫେରଆସିଥିଲା ।
ଖବର ମୁତାବକ, ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ତିରୁପତି ପାଇଁ ଉଡ଼ାଣ ଭରିଥିଲା ସ୍ପାଇସଜେଟ ବିମାନ । ହେଲେ ବିମାନରେ କିଛି ବୈଷୟିକ ତ୍ରୁଟି ଯୋଗୁଁ ବିମାନଟି ଅଧାରୁ ଫେରିଆସିଥିଲା । ସୁରକ୍ଷା ଦୃଷ୍ଟିରୁ ବିମାନକୁ ପାଇଲଟ ହାଇଦ୍ରାବାଦ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।

ଏହାକୁ ନେଇ ଜଣେ ଅଧିକାରୀ କହିଛନ୍ତି, ବିମାନଟି ଜରୁରୀ ଅବତରଣ କରାଯାଇନାହିଁ । କୌଣସି ବୈଷୟିକ ତ୍ରୁଟି ଯୋଗୁଁ ସ୍ପାଇସ ଜେଟ ବିମାନକୁ ମଝି ଆକାଶରୁ ଫେରାଇ ଅଣାଯାଇଥିଲା । ତେବେ ତିରୁପତି ଯିବା ପାଇଁ ଅନ୍ୟ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି ।
ସେହିପରି ଆଜି ଦିଲ୍ଲୀରୁ ଲେହ ଯାଉଥିବା ଇଣ୍ଡିଗୋ ବିମାନ 6E 2006 ଜରୁରୀକାଳୀନ ଅବତରଣ କରିଛି । କୁହାଯାଉଛି ଯାନ୍ତ୍ରିକ ତ୍ରୁଟି ଥିବା କାରଣରୁ ଏହି ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା । ଗୁରୁବାର ଦିନ ଇଣ୍ଡିଗୋ ବିମାନ 6E 2006 ଦିଲ୍ଲୀରୁ ଲେହ ଅଭିମୁଖେ ଉଡ଼ାଣ କରିଥିଲା । ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏହା ପରେ ତୁରନ୍ତ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ବିମାନଟି ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା ।
