ନୂଆଦିଲ୍ଲୀ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ ବର୍ମିଂହାମରେ ଖେଳାଯିବ । ଜୁଲାଇ ୨ ତାରିଖରୁ ମ୍ୟାଚ ଆରମ୍ଭ ହେବ । ଏଥିପାଇଁ ଟିମ୍ ବର୍ମିଂହାମରେ ଜୋରଦାର ଅଭ୍ୟାସ କରୁଛି । ଏହାପୂର୍ବରୁ ଟିମର ଅଭ୍ୟାସ ସମୟରେ ଆଉ ଜଣେ ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିଛି । ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ପଞ୍ଜାବ କିଙ୍ଗ୍ସର ବାମହାତୀ ସ୍ପିନର ହରପ୍ରୀତ ବ୍ରାରଙ୍କୁ ଭାରତୀୟ ଦଳର ଅଭ୍ୟାସ ଶିବିରରେ ଦେଖିବାକୁ ମିଳିଛନ୍ତି ।
ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ନେଟ୍ସ ଲାଗି ତାଙ୍କୁ ଗେଷ୍ଟ୍ ବୋଲର ଭାବେ ସାମିଲ କରାଯାଇଛି । ଭାରତୀୟ ଅଧିନାୟକ ଶୁବମନ ଗିଲଙ୍କ ଅନୁରୋଧରେ ସେ ବି ନେଟ୍ସରେ ଯୋଗ ଦେଇ ବୋଲିଂ ଆରମ୍ଭ କରି ଦେଇଛନ୍ତି । ଶୁବମନ ଗିଲ ତାଙ୍କୁ ମେସେଜ କରି ଡାକିଛନ୍ତି ବୋଲି ହରପ୍ରୀତ ନିଜେ କହିଛନ୍ତି ।

ବିସିସିଆଇ ବ୍ରାର୍ଙ୍କ ଅଭ୍ୟାସ ଅଧିବେଶନର ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ବ୍ରାର୍, ପତ୍ନୀଙ୍କ ଘରୋଇ ସହର ସ୍ବିଡେନରେ ଥିବା ଉଲ୍ଲେଖ କରିବା ସହ ଅଧିନାୟକ ଗିଲଙ୍କ ମେସେଜ୍ ପାଇବା ପରେ ସେ ତା’ପରଦିନ ଭାରତୀୟ ଦଳର ଅଭ୍ୟାସ ଅଧିବେଶନରେ ଯୋଗ ଦେଇଥିବା କହିଛନ୍ତି । ‘‘ମୋ ପତ୍ନୀର ଘର ସ୍ବିଡେନ୍। ଏହା ବର୍ମିଂହାମର ଅତି ନିକଟରେ । ବହୁତ କମ୍ ସମୟ ଲାଗୁଛି । ଶୁବମନ ମତେ କାଲି ମେସେଜ୍ କଲେ । ତେଣୁ ମୁଁ ବର୍ମିଂହାମକୁ ଆସିଲି ଏବଂ ଅଭ୍ୟାସ କଲି’ବୋଲି ଏହି ଭିଡିଓରେ ସେ କହିଛନ୍ତି । ଏହାସହିତ ହରପ୍ରୀତ ଅର୍ଶଦୀପ ସିଂଙ୍କ ପ୍ରଶଂସା କରିଛନ୍ତି । ବ୍ରାରଙ୍କ ବାଦ୍ ଚଣ୍ଡିଗଡ଼ର ଆନ୍ୟ ଜଣେ ବୋଲର ଜଗଜିତ ସିଂହ ସାନ୍ଧୁ ମଧ୍ୟ ଭାରତୀୟ ନେଟ୍ସରେ ଗେଷ୍ଟ୍ ବୋଲର୍ ରହିଥିଲେ ।
ଲିଡ୍ସରେ ହେଡିଂଲେରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆର ବୋଲର ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ମ୍ୟାଚ ହାରିଥିଲା । ସେହି ମ୍ୟାଚରେ ଟିମ୍ ଇଣ୍ଡିଆ ୫ ୱିକେଟରେ ହାରିଥିଲା । ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ୩୭୧ ରନ୍ ଲକ୍ଷ୍ୟ ଦେଇଥିଲା । ହେଲେ ଟିମର ଖରାପ ବ୍ୟାଟିଂ ଏବଂ ଫିଲ୍ଡିଂ ଯୋଗୁଁ ଟିମ୍ ହାରିଥିଲା ।
