ଭୁବନେଶ୍ୱର : ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍ । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି । ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଶୁଣାଣି କରାଯାଇଥିଲା । ଗତ ୩୦ ତାରିଖରେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଏମସି ଅଫିସ ଭିତରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଅଫିସ ଭିତରେ ତାଙ୍କୁ ଘୋଷାରି ଘୋଷାରି ମାଡ଼ ମରାଯାଇଥିଲା । ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ ଜଗନ୍ନାଥ । ପରେ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଥିଲେ ରହିଥିଲେ ଜଗନ୍ନାଥ ।

ସୂଚନା ଅନୁସାରେ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଥିଲା ପୋଲିସ । ଦଫା ୩୩୩, ୧୨୧(୧), ୧୨୧(୨), ୩୫୧(୨), ୬୨ ଓ ୩୦୪ରେ ମାମଲା ରୁଜୁ କରାଯାଇଥିଲା । ଗତ ଗୁରୁବାର ରାତିରେ ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ । ଆତ୍ମସମର୍ପଣ କଲା ପରେ କମିସନରେଟ ପୋଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା । ଏହା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ୍ ନେଇଥିଲା । ସେଠାରେ ଜଗନ୍ନାଥ ପ୍ରଧାନଙ୍କୁ ଦୁଇ ଜଣ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଶେଷରେ ଡାକ୍ତରଖାନାରୁ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କର ଜାମିନକୁ ନାମଞ୍ଜୁର କରିଦେବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ଯାଇଥିଲେ ଜଗନ୍ନାଥ ପ୍ରଧାନ । ହେଲେ ଆଜି ତାଙ୍କୁ ବେଲ୍ ମିଳିଛି ।
