ଭୁବନେଶ୍ୱର : ଫକୀର ମୋହନ କଲେଜ ଛାତ୍ରୀଙ୍କର ମୃତ୍ୟୁକୁ ବିରୋଧ କରି କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏଟଂହିପାଇଁ ସାରା ରାଜ୍ୟରେ ଚକ ଅଖ ସବୁ ବନ୍ଦ ରହିଛି। ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରି ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି ।

ମାର୍କେଟ କ୍ୟାଣ୍ଟିନ ଛକ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ ସମେତ ଅନ୍ୟ ପ୍ରମୁଖ ଛକରେ କଂଗ୍ରେସକର୍ମୀମାନେ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ଭୁବନେଶ୍ବର ରେଳ ଷ୍ଟେସନ୍ରେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଛି ।

ବିଧାନସଭା ଅଞ୍ଚଳ, ରେଳଷ୍ଟେସନରେ ପୋଲିସ ମୁତୟନ ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ନାରାବାଜି କରି ରାସ୍ତା ଅବରୋଧ କରିଛନ୍ତି । ତେବେ ଜରୁରୀକାଳୀନ ଗାଡ଼ିକୁ ଯିବାକୁ ଦିୖଆଯାଉଛି। ପୋଲିସ ପକ୍ଷରୁ ପିକେଟିଂ ସ୍ଥଳରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଆଜି ପେଟ୍ରୋଲ ପମ୍ପକୁ ମଧ୍ୟ ବନ୍ଦ ରଖାଯାଇଛି । ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି, ସୁରକ୍ଷା ଦୃଷ୍ଟିରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ।

ସେପଟେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଆଜି ସମଗ୍ର ରାଜ୍ୟରେ ବନ୍ଦ ପାଳନ କରାଯାଉଛି । ଏହା ନ୍ୟାୟର ଲଢେଇ । ନ୍ୟାୟ ଦିଅ, ଆମେ ବନ୍ଦ ପ୍ରତ୍ୟାହାର କରିନେବୁ । ଲୋକେ ସ୍ୱତଃପ୍ରବୃତ ଭାବରେ ବନ୍ଦକୁ ସମର୍ଥନ କରୁଛନ୍ତି ।
