ନୂଆଦିଲ୍ଲୀ: ଜର୍ମାନୀରେ ବଡ଼ ଦୁର୍ଘଟଣା । ରବିବାର ଦକ୍ଷିଣ-ପଶ୍ଚିମ ଜର୍ମାନୀରେ ଏକ ଯାତ୍ରୀବାହୀ ଟ୍ରେନ୍ ଟ୍ରାକ୍ରୁ ଖସିପଡିଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ଖବର ଅନୁଯାୟୀ, ଜର୍ମାନୀର ରିଡଲିଙ୍ଗନ ଏବଂ ମୁଣ୍ଡରକିଙ୍ଗନ ସହର ମଧ୍ୟରେ ଯାତ୍ରୀବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇ ଟ୍ରାକ୍ରୁ ଖସିପଡିଛି । ଏଥିରେ ୧୦୦ ଜଣ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ତିନି ଜଣଙ୍କର ଜୀବନ ଯାଇଛି। ଦୁର୍ଘଟଣା ଘଟିଥିବା ଅଞ୍ଚଳଟି ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡ ସୀମାରେ ଅବସ୍ଥିତ ।

ଏହି ଟ୍ରେନ୍ ସିଗମାରିଞ୍ଜେନ ଏବଂ ଉଲ୍ମ ମଧ୍ୟରେ ପ୍ରାୟ ୯୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ିଥିଲା । ଦୁର୍ଘଟଣା ପରେ ପୋଲିସ କହିଛି ଯେ, ଏହି ମାମଲାରେ ତଦନ୍ତ ଆରମ୍ଭ କରାଯାଇଛି । ଦୁର୍ଘଟଣାର କାରଣ ଖୋଜାଯାଉଛି । ଟ୍ରେନ ଦୁର୍ଘଟଣାରେ ୫୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭତ୍ତିର୍ କରାଯାଇଛି । କିଛି ଯାତ୍ରୀଙ୍କୁ ସାମାନ୍ୟ ଆହତ ହୋଇଛନ୍ତି ।

ଜର୍ମାନ ଜାତୀୟ ରେଳ ଅପରେଟର ଡଚେ ବାହନ୍ ଏହି ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି । ଏହି ବିବୃତ୍ତିରେ କୁହାଯାଇଛି ଯେ, ଅନେକ ଲୋକ ଆହତ ହୋଇଛନ୍ତି । ଟ୍ରେନଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା ତାହା ସ୍ପଷ୍ଟ ହୋଇନାହିଁ, ଏହା ମଧ୍ୟ କହିଛି ଯେ, ଏହା କର୍ତ୍ତୃପକ୍ଷଙ୍କ ତଦନ୍ତରେ ସହଯୋଗ କରିବ ।
