ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ବାପଟଲା ଗ୍ରାନାଇଟ ଖଣିରେ ଅଘଟଣ । ୬ ଓଡ଼ିଆ ଶ୍ରମିକ ମୃତ । ଅନ୍ୟ ଆହତ ୮ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବାପଟଲା ଜିଲ୍ଲା ବାଲିକୁରଭା ନିକଟରେ ଗ୍ରାନାଇଟ ଖଣିରେ ଆଜି ୧୫ରୁ ୨୦ ଜଣ ଶ୍ରମିକ କାମ କରୁଥିଲେ । ବ୍ଲାଷ୍ଟିଂ ଅପରେସନ ଚାଲିଥିବା ବେଳେ ହଠାତ ଏକ ବଡ଼ ପଥର ଖଣ୍ଡ ଧସିଥିଲା । ଏଥିରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୮ଜଣ ଗୁରୁତରଙ୍କୁ ନରସାରାଓପେଟା ହସପିଟାଲରେ ଭର୍ତ୍ତି କରାଯାଇଛି ।

ଆନ୍ଧ୍ରପ୍ରଦେଶ ପୋଲିସ କହିବା ଅନୁସାରେ ବାପଟାଲା ଜିଲ୍ଲା ବାଲିକୁରୁଭା ନିକଟ ସତ୍ୟକ୍ରିଷ୍ଣା ଗ୍ରାନାଇଟ ଖଣିରେ ଶ୍ରମିକମାନେ କାମ କରୁଥିଲେ । ଏହି ସମୟରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ଘଟଣାସ୍ଥଳରୁ ୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପଥରଖଣି ତଳେ ଚାପି ହୋଇଥିବା ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ ।
