ଦିଲ୍ଲୀ : ସ୍ୱାଧୀନତା ଦିବସ ପାଖେଇ ଆସୁଥିବାରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଛି । ଏହି ସମୟ ମଧ୍ୟରେ ଦେଶର ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ସୂତ୍ର ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ଏହି ହାଇ ଆଲର୍ଟ ଜାରି କରାଯାଇଛି । ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (BCAS) ଏହି ସମ୍ପର୍କରେ ସମସ୍ତ ବିମାନବନ୍ଦରକୁ ତିନୋଟି ସୁରକ୍ଷା ପରାମର୍ଶ ଜାରି କରିଛି । ସରକାରୀ ସୂତ୍ରଗୁଡ଼ିକ ମଧ୍ୟ କହିଛନ୍ତି ଯେ ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦୁର୍ଗା ପୂଜା ସମୟରେ ସାରା ଭାରତରେ ବିମାନବନ୍ଦର ପାଇଁ ହାଇ ଆଲର୍ଟ ଜାରି କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି, IGI ବିମାନବନ୍ଦର ସମ୍ପର୍କରେ ଏକ ହାଇ ଆଲର୍ଟ ଜାରି କରାଯାଇଛି । ଯଦିଓ ଏହି ଆକ୍ରମଣର ସମୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ସମୟରେ, ସମସ୍ତ ବିମାନବନ୍ଦରରେ ସୁରକ୍ଷା ବୃଦ୍ଧି କରିବା ପାଇଁ ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସେଫ୍ଟି ବ୍ୟାପକ ନିର୍ଦ୍ଦେଶାବଳୀ ଜାରି କରିଛି । ଦେଶର ସବୁଠାରୁ ବ୍ୟସ୍ତବହୁଳ ଏବଂ ଗୁରୁତ୍ୱପୂର୍ଣ୍ଣ ବିମାନବନ୍ଦର IGI ବିମାନବନ୍ଦର । ସୁରକ୍ଷା ଦୃଷ୍ଟିରୁ ଏଥର ସ୍ୱତନ୍ତ୍ର ନଜରରେ ଏହି ବନ୍ଦରକୁ ରଖାଯାଇଛି । ଏହି ବିମାନବନ୍ଦର କେବଳ ଜାତୀୟ ରାଜଧାନୀର ପ୍ରବେଶ ପଥ ନୁହେଁ ବରଂ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଏକ ମୁଖ ସ୍ଥାନ ।

ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା କରିଛନ୍ତି ଯେ IGI ବିମାନବନ୍ଦର ଆତଙ୍କବାଦୀ ସଂଗଠନ ଦ୍ୱାରା ଟାର୍ଗେଟ ହୋଇପାରେ । ମୁମ୍ବାଇ, ଜୟପୁର ଏବଂ ଅନ୍ୟାନ୍ୟ ବିମାନବନ୍ଦରରେ ମିଳିଥିବା ବୋମା ଧମକ ଇମେଲ୍ ମଧ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକର ଚିନ୍ତାକୁ ବଢ଼ାଇ ଦେଇଛି । ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଦ୍ୱାରା ଜାରି ନିର୍ଦ୍ଦେଶାବଳୀରେ, ପ୍ରଥମେ ପରିଚୟପତ୍ରର କଡ଼ା ଯାଞ୍ଚ ବିଷୟରେ ଉଲ୍ଲେଖ କରାଯାଇଛି। ବିମାନବନ୍ଦରରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି, କର୍ମଚାରୀ ଏବଂ ଠିକାଦାରଙ୍କ ପରିଚୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିମାନବନ୍ଦରରେ ସିସି ଟିଭି କ୍ୟାମେରା ମାଧ୍ୟମରେ ୨୪ ଘଣ୍ଟା ନଜର ରଖିବାକୁ କୁହାଯାଇଛି। ସ୍ଥାନୀୟ ପୋଲିସ, ସିଆଇଏସଏଫ, ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ଅନ୍ୟାନ୍ୟ ଏଜେନ୍ସି ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି ।
