ପାକିସ୍ତାନ : ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଗତ ଦୁଇଦିନ ହେଲାଣି ଲଗାତାର ବର୍ଷା ହେବା କାରଣରୁ ବନ୍ୟା ଏବଂ ଭୂସ୍ଖଳନ ଘଟଣାରେ ଅତିକମରେ ୨୪ ଜଣଙ୍କର ମ୍ତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଅନେକ ରାସ୍ତା ଭାଙ୍ଗିଥିବା ବେଳେ ନଦୀର ଜଳସ୍ତର ବଢୁଛି ।

ଖୈବର ପଖତୁନଖ୍ବା ଠାରୁ ଆରମ୍ଭ କରି ଲିଓର ଦୀର, ବାଜୋର ଏବଂ ଏବଟାବାଦ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷତି ହୋଇଛି । ଲିଓରଦୀରରେ ଏକ ଘରର ଛାତ ପଡିବା ଯୋଗୁଁ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ବାଜୋର ଜିଲ୍ଲାରେ ବାଦଲଫଟା ବର୍ଷା ପରେ ବନ୍ୟା ଆସିବାରୁ ୯ ଜଣଙ୍କର ମ୍ତ୍ୟୁ ହୋଇଛି । ଘଟଣାରେ ୧୭ରୁ ଅଧିକ ନିଖୋଜ ରହିଛନ୍ତି । ବନ୍ୟା ପାଣି ବଢିବାରୁ ଅନେକ ଗାଁ ସହିତ ସଂପର୍କ ଛିନ୍ନ ହୋଇଛି ।

ସେହିପରି ଗିଲଗିତ-ବାଲିସ୍ତାନର ଗିଜର ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କ ଜୀବନ ଚାଲିଯାଇଛି । ୨ ଜଣ ନିଖୋଜ ରହିଛନ୍ତି । ଘଟଣାରେ ଅନେକ ଘର, ସ୍କୁଲ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ନଷଟ ହୋଇଛି । ୬୦୦ରୁ ଅଧିକ ପର୍ଯ୍ୟଟକ ରତି ଗଲି ହ୍ରଦ ପାଖରେ ଫସିଛନ୍ତି । ଏଠାରେ ଅନେକ ପୋଲ ଭାସିଯାଇଥିବା ବେଳେ ରାସ୍ତା ଭାଙ୍ଗିଯାଇଛି । ସରକାର ସମସ୍ତ ଜିଲ୍ଲାକୁ ହାଇଆଲର୍ଟରେ ରଖିଛନ୍ତି । ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଲୋକମାନଙ୍କୁ ଅନାବଶ୍ୟକ ଯାତ୍ରାରୁ ବଞ୍ଚିବାକୁ କୁହାଯାଇଛି । ସେନା ପକ୍ଷରୁ ହେଲିକପ୍ଟରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
