ଭୁବନେଶ୍ୱର: UPI ପେମେଣ୍ଟ ହେଲାନି ବୋଲି ହଇରାଣ ହେଲେ ଯାତ୍ରୀ । ସିଙ୍ଗଡ଼ା କିଣିଦେଲେ କିନ୍ତୁ ପେମେଣ୍ଟ ହେଲାନି । ଏପଟେ ବିକ୍ରେତା ବି ଯାତ୍ରୀଙ୍କୁ ଛାଡ଼ିବାକୁ ନାରାଜ୍ । ସେପଟେ ଟ୍ରେନ୍ ଛାଡ଼ୁଥାଉ । କଣ କରିବେ କଣ ନାଇ କିଛି ବୁଝି ପାରିଲେନି ଯାତ୍ରୀ । ଶେଷରେ ବାଧ୍ୟ ହୋଇ ନିଜ ଘଣ୍ଟା ଖୋଲି ବିକ୍ରେତାକୁ ଦେଲେ । ଏଭଳି ଘଟଣା ହୁଏତ ଆପଣ କେବେ ଶୁଣି ନଥିବେ । କିନ୍ତୁ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଜବଲପୁର ରେଳ ଷ୍ଟେସନରେ ଘଟିଯାଇଛି ।
ଷ୍ଟେସନରେ ସିଙ୍ଗଡ଼ା ବଦଳରେ ଜଣେ ଯାତ୍ରୀଙ୍କ ଘଣ୍ଟା ନେଇଯାଇଥିଲେ ବିକ୍ରେତା । ଆଉ ଏହି ଘଟଣାର ଭିଡିଓ କରିଥିଲେ ଦେଖଣାହାରୀ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ବିକ୍ରେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ହେପାଜତକୁ ନିଆଯାଇଛି ବୋଲି ଜଣେ ରେଳ ଅଧିକାରୀ କହିଛନ୍ତି । ରେଳବାଇ ଏବେ ଅଭିଯୁକ୍ତ ବିକ୍ରେତାଙ୍କ ଲାଇସେନ୍ସ ବାତିଲ କରିବାକୁ ତଦନ୍ତ କରୁଛି ।
ଘଟଣା ଅନୁସାରେ ଜଣେ ଯୁବକ ଷ୍ଟେସନରେ ସିଙ୍ଗଡ଼ା କିଣିବା ପରେ ଅନଲାଇନରେ ପେମେଣ୍ଟ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ସମୟରେ ଟ୍ରେନ୍ ବି ଛାଡ଼ି ଦେଇଥିଲା । ପରେ ଯୁବକ ସିଙ୍ଗଡ଼ା ନ ନେଇ ଟ୍ରେନ୍ ଧରିବାକୁ ଚେଷ୍ଟା କରୁଥିବା ବେଳେ ବିକ୍ରେତା ତାଙ୍କ କଲର ଧରି ଯିବାକୁ ଦେଲେନି । ବାଧ୍ୟ କରୁଥାନ୍ତି ପେମେଣ୍ଟ କରିବାକୁ, କିନ୍ତୁ ଯୁବକ ଯେତେ ଚେଷ୍ଟା କଲେ ବି ପେମେଣ୍ଟ ହୋଇନଥିଲା । ଶେଷରେ ଯୁବକ ନିଜ ଘଣ୍ଟା କାଢ଼ି ବିକ୍ରେତାଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ । ପରେ ବିକ୍ରେତା ବି ଯୁବକଙ୍କ ହାତରେ କିଛି ସିଙ୍ଗଡ଼ା ଧରାଇ ଦେଇଥିଲେ । ଏହି ସବୁ ଘଟଣାର ଭିଡିଓ କରି କିଛି ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ରେଳ ଅଧିକାରୀଙ୍କ ଅନୁଯାୟୀ ଏହି ଘଟଣା ୧୭ ଅକ୍ଟୋବର ସନ୍ଧ୍ୟା ୫:୩୦ରେ ଜବଲପୁର ରେଳ ଷ୍ଟେସନର ପାଞ୍ଚ ନମ୍ବର ପ୍ଲାଟଫର୍ମରେ ଘଟିଥିଲା ।
‘X’ରେ ପୋଷ୍ଟ ହୋଇଥିବା ଏହି ଘଟଣାର ଜବାବ ଦେଇ ଜବଲପୁର ଡିଆରଏମ କହିଛନ୍ତି, “ବିକ୍ରେତାଙ୍କୁ ଚିହ୍ନଟ କରାଯାଇଛି ଏବଂ ଆରପିଏଫ ଏକ ମାମଲା ରୁଜୁ କରି ତାଙ୍କୁ ହେପାଜତକୁ ନେଇଛି । ତାଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।” ଅନ୍ୟପଟେ ପଚରାଉଚରା ସମୟରେ ବିକ୍ରେତା ସ୍ୱୀକାର କରିଥିଲେ ଯେ ସେ ଯାତ୍ରୀଙ୍କ ସହ ଖରାପ ବ୍ୟବହାର କରିଥିଲେ । କିନ୍ତୁ ପରେ ତାଙ୍କ ଘଣ୍ଟା ଫେରାଇ ଦେଇଥିଲେ । ଯାହା ପରେ ଜବଲପୁର ରେଳ ବିଭାଗ ବିକ୍ରେତାଙ୍କ ବିରୁଦ୍ଧରେ ରେଳ ଆଇନର ଧାରା ୧୪୫ ଅନୁଯାୟୀ ଏକ ମାମଲା ରୁଜୁ କରିଛି ।ଆଜିକାଲି ଅନଲାଇନ୍ ପେମେଣ୍ଟର ବ୍ୟବହାର ବଢ଼ିଚାଲିଛି । ଏଥିପାଇଁ ଲୋକେ ପାଖରେ କ୍ୟାସ୍ ରଖୁନାହାନ୍ତି । ଯାହା ଫଳରେ ଏମିତି କିଛି ଅସୁବିଧାର ସାମ୍ନା କରୁନ୍ତି ଲୋକେ । ତେଣୁ ଆପଣ ଦୂର ଯାତ୍ରା କରୁଥିଲେ ନିଶ୍ଚିତ ଭାବେ ପାଖରେ କ୍ୟାସ୍ ରଖନ୍ତୁ ।
