ନୂଆଦିଲ୍ଲୀ: ବ୍ରିଟେନ ରାଜ ପରିବାର ବିବାଦ ତେଜିଲା । ରାଜକୀୟ ପଦବୀ ହରାଇଲେ ପ୍ରିନ୍ସ ଆଣ୍ଡ୍ରିଉ। ବାସଭବନରୁ ତାଙ୍କୁ ବେଦଖଲ କରାଯାଇଛି । ବକିଙ୍ଗହାମ ପ୍ୟାଲେସ୍ ଏ ନେଇ ଘୋଷଣା କରିଛି । କିଙ୍ଗ୍ ଚାର୍ଲସ୍ ତୃତୀୟ ତାଙ୍କ ସାନଭାଇ ପ୍ରିନ୍ସ ଆଣ୍ଡ୍ରିଉଙ୍କ ରାଜକୀୟ ଉପାଧି ଓ ସମ୍ମାନକୁ ପ୍ରତ୍ୟାହାର କରିବା ପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରିନ୍ସ ଆଣ୍ଡ୍ରିଉଙ୍କ “ପ୍ରିନ୍ସ” ଉପାଧି ମଧ୍ୟ ରଦ୍ଦ କରାଯାଇଛି । ଯାହା ସେ ସ୍ୱର୍ଗତା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପୁଅ ଭାବରେ ଜନ୍ମରୁ ଧାରଣ କରିଥିଲେ । ଆଣ୍ଡ୍ରିଉ ବର୍ତ୍ତମାନ କେବଳ ଆଣ୍ଡ୍ରିଉ ମାଉଣ୍ଟବାଟେନ୍ ୱିଣ୍ଡସର ଭାବରେ ପରିଚିତ ହେବେ । ଏହା ବ୍ୟତୀତ, ତାଙ୍କୁ ୱିଣ୍ଡସର ଗ୍ରେଟ୍ ପାର୍କରେ ଥିବା ତାଙ୍କର ଦୀର୍ଘ ଦିନର ବାସଭବନ ରୟାଲ୍ ଲଜରୁ ମଧ୍ୟ ତାଙ୍କୁ ବେଦଖଲ କରାଯାଇଛି ।
ଏବେ ସେ ତାଙ୍କ ଲିଜ୍ ବା ନିଜସ୍ୱ ଅଧିକାର ସମର୍ପଣ କରିବାକୁ ବାଧ୍ୟ ହେବେ। ସେ ବର୍ତ୍ତମାନ ଇଂଲଣ୍ଡର ନରଫୋକରେ ଥିବା ସାଣ୍ଡ୍ରିଙ୍ଗହାମ ଇଷ୍ଟେଟରେ ଏକ ଘରୋଇ ଆବାସକୁ ସ୍ଥାନାନ୍ତରିତ ହେବେ । ଏହା ଆଧୁନିକ ଇତିହାସରେ ରାଜପଦ ତ୍ୟାଗ (abdication) କିମ୍ବା ନିର୍ବାସନ (exile) ବ୍ୟତୀତ ଜଣେ ବରିଷ୍ଠ ରାଜକୀୟ ବ୍ୟକ୍ତିଙ୍କ ବିରୁଦ୍ଧରେ ନିଆଯାଇଥିବା ସବୁଠାରୁ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହି ନିଷ୍ପତ୍ତି ପୂର୍ବରୁ ସାଧାରଣ ଏବଂ ରାଜନୈତିକ ଚାପ ବଢ଼ିବାରେ ଲାଗିଥିଲା । ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କ ସହ ସଂପର୍କ ଆଣ୍ଡରିୟୁଙ୍କୁ ମହଙ୍ଗା ପଡ଼ିଛି । ଆଣ୍ଡ୍ରିଉ କ୍ରମାଗତ ଭାବରେ ସମସ୍ତ ଭୁଲ୍ କାର୍ଯ୍ୟକୁ ଅସ୍ୱୀକାର କରିବାରୁ ଏହି ପଦକ୍ଷେପ ନେଇଛନ୍ତି କିଙ୍ଗ ଚାର୍ଲସ ତୃତୀୟ ।
