ଭୁବନେଶ୍ୱର : ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚିତ । ଆଜି ଲୋକସେବା ଭବନ ଠାରେ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଲୋଗୋ ଓଡ଼ିଆ ସଂସ୍କୃତି ତଥା ମହାନ ଶିକ୍ଷାବିତ୍ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆଦର୍ଶର ପ୍ରତୀକ । ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।
ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଚାରି ବର୍ଷ ଅର୍ଥାତ୍ ୨୦୨୫-୨୬ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହା ଖର୍ଚ୍ଚ କରାଯିବ । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପଞ୍ଚାୟତର ଏପରି ଏକ ଗାଁରେ ସ୍ଥାପିତ କରାଯିବ ଯେଉଁଠାରେ ଅନ୍ୟୂନ ୫ ଏକର ଜମି ଉପଲବ୍ଧ ସହ ଗମନାଗମନ ସୁବିଧା ଥିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଲୋଗୋ ଶିକ୍ଷାର ମହତ୍ଵ ଓ ଭୂମିକାକୁ ପ୍ରତିଫଳିତ କରୁଛି। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଦ୍ବାରା ଶିକ୍ଷା ଭିତ୍ତିଭୂମି ଏବଂ ଶିକ୍ଷଣ ପରିବେଶରେ ଉନ୍ନତି ଆସିବ । ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଉପକରଣ ଏବଂ କ୍ରୀଡ଼ା ଉପକରଣ ଆଦି ସୁବିଧା ସେହି ବିଦ୍ୟାଳୟରେ ଉପଲବ୍ଧ ହେବ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ସଚିବ ମନୋଜ ଆହୁଜା ଓ ଗଣଶିକ୍ଷା ବିଭାଗର କମିଶନର ଏନ. ତିରୁମାଲା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
