କୋଣାର୍କ (ଦେବାଶିଷ ସେଠି): କୋଣାର୍କରେ ବିଶ୍ବଐତିହ୍ୟ ଅସୁରକ୍ଷିତ ଭାବେ ରହିଥିବା ଦେଖିବାକୁ ମିଳିଛି। ସୂର୍ଯ୍ୟମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୬ ମସିହାରେ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ମେଟାଲ୍ ଡିଟେକ୍ଟର ସହିତ ମନ୍ଦିରର ଚାରିପାଖରେ ଉଚ୍ଚକ୍ଷମତା ସମ୍ପନ୍ନ ୩୦ଟି ସି ସି କ୍ୟାମେରା ଲଗାଯାଇ ସମଗ୍ର ମନ୍ଦିର ଉପରେ ତୀକ୍ଷ୍ନ ନଜର ରଖାଯାଉଥିଲା। ମାତ୍ର ଏବେ ଏହି ସିସି କ୍ୟାମେରାଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ୩୦ଟି ମଧ୍ୟରୁ କେବଳ ପ୍ରବେଶ ପଥ, ପ୍ରସ୍ଥାନ ପଥ ଓ ଟିକେଟ କାଉଣ୍ଟର ନିକଟରେ ଲଗାଯାଇଥିବା ସିସି କ୍ୟାମେରାକୁ ଛାଡ଼ିଦେଲେ ଅବଶିଷ୍ଟ ସମସ୍ତ ସିସି କ୍ୟାମେରାଗୁଡିକ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି ମନ୍ଦିରର ପ୍ରବେଶ ପଥରେ ନାମକୁ ମାତ୍ର ଲଗାଯାଇଥିବା ମେଟାଲ୍ ଡିଟେକ୍ଟର ଏବେ ଅଚଳ ହୋଇ ପଡ଼ିରହିଛି। ବିଶେଷ ଭାବେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପ୍ରବେଶ କରୁଥିବା ପର୍ଯ୍ୟଟକଙ୍କ ଲଗେଜ୍କୁ ଯାଞ୍ଚ କରିବାକୁ ଲଗେଜ୍ ସ୍କାନର ନ ଥିବାରୁ ସଠିକ ଭାବେ ଯାଞ୍ଚ କରାଯାଇପାରୁନାହିଁ।
ଫଳରେ ସୂର୍ଯ୍ୟମନ୍ଦିରରେ ଏପରି ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀରେ ଘଟିଥିବା ଆତଙ୍କବାଦୀ ଘଟଣାକୁ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖିବାକୁ ମିଳିଛି। ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦେଶ ଓ ବିଦେଶରୁ ପର୍ଯ୍ୟଟକ ବୁଲି ଆସିଥାନ୍ତି। କିନ୍ତୁ ଐତିହ୍ୟ ସୁରକ୍ଷା ବ୍ୟବସ୍ଥାଠାରୁ ପର୍ଯ୍ୟଟ ମାନେ ମଧ୍ୟ ଏଠାରେ ଅସୁରକ୍ଷିତ ଥିବା ଦେଖିବାକୁ ମିଳୁଛି। କେତେବେଳେ ଯେ, କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ତାହା କହିହେବ ନାହିଁ। ଅତି ନିକଟରେ ବଙ୍ଗୋପସାଗର କୂଳରେ ଏହି ବିଶ୍ଵ ଐତିହ୍ୟସ୍ଥଳୀ ରହିଛି ଯେ କୌଣସି ମୁହୂର୍ତ୍ତରେ ବିସ୍ଫୋରକ ସାମଗ୍ରୀ ସହ ଆତଙ୍କବାଦୀମାନେ ସୂର୍ଯ୍ୟମନ୍ଦିର ଭିତରେ ପ୍ରବେଶ କରି ଅଘଟଣ ଘଟାଇପାରିବେ ।
ଯେଉଁ ଦିଗରୁ ସୂର୍ଯ୍ୟମନ୍ଦିରକୁ ଲକ୍ଷ କରିବ ସବୁ ଦିଗ ବା ଚାରିପାଖ ଏବେ ମୁକୁଳା ପଡ଼ିଛି କେବଳ କେତେଜଣ ଘରୋଇ ସିକ୍ୟୁରିଟି ସଂସ୍ଥାର କର୍ମଚାରୀଙ୍କ ହାତରେ ଏବେ ସୂର୍ଯ୍ୟମନ୍ଦିରର ସୁରକ୍ଷା ଦାୟିତ୍ଵ ଦେଇ ପ୍ରଶାସନ ନାହିରେ ତେଲ ଦେଇ ଶୋଇଯାଇଛି। କିଛି ହାତଗଣତି କର୍ମଚାରୀ କେବଳ ନାମକୁ ମାତ୍ର ରହିଛନ୍ତି। ମନ୍ଦିରର ପ୍ରବେଶ ପଥ ହେଉକି ଟିକେଟ କାଉଣ୍ଟର ସବୁଠି ସବୁ ମୁକୁଳା ପଡ଼ିଛି। ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ କିଛି ସିକ୍ୟୁରିଟ ଗାର୍ଡ କେବଳ ପର୍ଯ୍ୟଟକଙ୍କଟିକେଟ ଚିରି ଭିତରକୁ ଛାଡୁଥିବା ବେଳେ କୌଣସି ପର୍ଯ୍ୟଟକଙ୍କର ଆସବାବପତ୍ର କି ବ୍ୟାଗ୍ ତନଖି କରାଯାଉନାହଁ ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିରର ସୁରକ୍ଷାକୁ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇ କ୍ଷୋଭ ପ୍ରକାଶ କରିଛନ୍ତି। ପର୍ଯ୍ୟଟକମାନଙ୍କ ଦୈନନ୍ଦିନ ଲକ୍ଷଲକ୍ଷ ଟଙ୍କା ରାଜସ୍ବ ଆଦାୟ କରା ଯାଉଥିବା ବେଳେ ଏଏଆଇ ଓ ରାଜ୍ୟ ସରକାର କୋଣାର୍କର ସୁରକ୍ଷା ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଯଦି ଦିଲ୍ଲୀ ପରି କୋଣାର୍କରେ କୌଣସି ଅଘଟଣ ଘଟେ ତାହେଲେ ସେଥିପାଇଁ ଦାୟୀହେବ କିଏ ?
