ବଡ଼ବିଲ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବଡ଼ବିଲ-ଯୋଡା ରାଜ୍ୟ ରାଜପଥର ପୌରପାଳିକା ୱେଲକମ୍ ଗେଟ୍ ନିକଟରେ ଅଗ୍ନିଶମ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି।ସୂଚନା ମୁତାବକ ଜଣେ ବ୍ୟକ୍ତି ବଡବିଲ ଦମକଳ କେନ୍ଦ୍ରକୁ ଫୋନ କରି ଭଦ୍ରାସାହି ନିକଟରେ ନିଆଁ ଲାଗିଥିବା ନେଇ ସୂଚନା ଦେଇ ଥିଲେ। ସୂଚନା ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର ଯବାନ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳକୁ ଯାଉଥିବା ବେଳେ ବଡ଼ବିଲ ପୌରପାଳିକା ର ୱେଲକମ୍ ଗେଟ୍ ନିକଟରେ ଏକ ଟ୍ରକ ସହ ଅଗ୍ନିଶମ ଗାଡି ଧକ୍କା ହୋଇଥିଲା। ଫଳରେ ଗାଡି ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ସେଥିରେ ବସିଥିବା ୪ ଜଣ ଯବାନ ଆହତ ହୋଇଥିଲେ।
ଆହତ ଯବାନ ମାନଙ୍କୁ ବଡବିଲ ମେଡିକାଲରେ ପ୍ରାଥମିକ ଚିକିତ୍ସା କରା ଯାଇଥିବା ବେଳେ ସେଥି ମଧ୍ୟରୁ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ରହିଥିଲା। ଗୁରୁତର ଆହତ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରା ଯାଇଛି। ଅନ୍ୟ ପକ୍ଷରେ ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଫୋନ୍ କରିଥିବା ବ୍ୟକ୍ତିଙ୍କୁ ସମ୍ପର୍କ କରା ଯାଇଥିଲା କିନ୍ତୁ ସଂପୃକ୍ତ ବ୍ୟକ୍ତି କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ଥିଲେ। ଯାହାକୁ ନେଇ କେହି ମିଛ ରେ କଲ କରିଥିବା ଆଶଙ୍କା କରାଯାଉଛି। ଏନେଇ ଆଜି ବଡବିଲ ଦମକଳ କେନ୍ଦ୍ର ପକ୍ଷରୁ ବଡବିଲ ଥାନାରେ ଅଭିଯୋଗ କରା ଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
