ଭୁବନେଶ୍ବର: ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପରୁ ଦାନା ବାନ୍ଧିବ କି ବଡ଼ ବାତ୍ୟା ? ଷ୍ଟ୍ରେଟ ଅଫ ମଲାକ୍କା ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୁଦୃଶ୍ୟ ଲଘୁଚାପ । ଦକ୍ଷିଣ ପଶ୍ଚିମବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ । ଦୁଇ ଦୁଇଟି ସିଷ୍ଟମ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ନେଇ ପୂର୍ବାନୁମାନ କରାଯାଇଛି । କିନ୍ତୁ କେଉଁ ଆଡ଼େ ରହିବ ସମ୍ଭାବ୍ୟ ବାତ୍ୟାର ଗତିପଥ ତାହା ସ୍ପଷ୍ଟ ହୋଇନାହିଁ । ଷ୍ଟ୍ରେଟ ଅଫ ମଲ୍ଲାକା ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସକ୍ରିୟ ୱେଲ ମାର୍କଡ ଲୋପ୍ରେସର ଘନୀଭୂତ ହୋଇ ଆଜି ଡିପ୍ରେସନରେ ପରିଣତ ହେବ ।
ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ୨୭ ତାରିଖ ବେଳକୁ ବାତ୍ୟା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ସେନ୍ୟାର । ECMWF ଓ GOOGLE ମଡେଲ ଅନୁସାରେ ଶ୍ରୀଲଙ୍କା ତଟରେ ସଂଗଠିତ ଘୂର୍ଣ୍ଣିବଳୟ ଅଧିକ ପ୍ରଭାବୀ ରହିବା ଆକଳନ କରାଯାଇଛି । ଦୁଇ ଦୁଇଟି ସିଷ୍ଟମ ସକ୍ରିୟ ଥିବାରୁ ବିଭିନ୍ନ ପାଣିପାଗ ସଂସ୍ଥା ଏହା ଉପରେ ନଜର ରଖିଛନ୍ତି ।
କିଛି ପାଣିପାଗ ମଡେଲ ଆକଳନରେ ଦୁଇଟି ସିଷ୍ଟମ ମିଶ୍ରଣ ହୋଇପାରେ । କିନ୍ତୁ ମଲ୍ଲାକା ଷ୍ଟ୍ରେଟ ସିଷ୍ଟମ ବାତ୍ୟାରେ ପରିଣତ ହେଲେ ଏହା ଅଧିକ ଶକ୍ତିଶାଳୀ ହେବା ସହ ଘଣ୍ଟାପ୍ରତି ୧୮୦ରୁ ୧୯୦ କିମି ପର୍ଯ୍ଯନ୍ତ ପବନ ବହିପାରେ । ସେପଟେ ଶ୍ରୀଲଙ୍କା ନିକଟ ସିଷ୍ଟମ କେବଳ ବାତ୍ୟାର ରୂପ ନେବା ଆକଳନ କରାଯାଇଛି। ତେବେ ଶ୍ରୀଲଙ୍କା ନିକଟ ସିଷ୍ଟମ ଲଘୁଚାପର ରୂପ ନେବା ପରେ ହିଁ ଏଥିରେ ସ୍ପଷ୍ଟତା ଆସିପାରିବ ବୋଲି କୁହାଯାଇଛି ।
