ପୁରୀ (ଭିଓଭି): ପୁରୀ ଜିଲ୍ଲାର ୭୨ ତମ ଆରକ୍ଷୀ ଅଧୀକ୍ଷକ ଦାୟିତ୍ୱ ସମ୍ଭାଳିଛନ୍ତି ୨୦୧୧ ବ୍ୟାଚ୍ ଆଇ. ପି.ଏସ୍. ଅଫିସର ପିନାକ ମିଶ୍ର । ଏହା ପୂର୍ବରୁ ସେ କଟକ ଉପ ପୋଲିସ ଆୟୁକ୍ତ (ଡି.ସି.ପି.) ଦାୟିତ୍ୱ ବହନ କରିଥିଲେ । ପର୍ଯ୍ୟଟନ ଏବଂ ଐତିହ୍ୟସମ୍ପନ୍ନ ଜିଲ୍ଲା ପୁରୀର ଦାୟିତ୍ୱ ସମ୍ଭାଳିବା ଏକ ଚ୍ୟାଲେଞ୍ଜ ସଦୃଶ ହୋଇଥାଏ । ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଆଜି ପୁରୀ ଜିଲ୍ଲାର ଦାୟିତ୍ୱ ଗ୍ରହଣ କରିଛି । ପୂର୍ବ ଅପେକ୍ଷା ପୁରୀର ରୂପରେଖ ବଦଳିଛି । ଭକ୍ତଙ୍କ ଆଗମନ ବି ବଢ଼ିଛି । ଏଣୁ ଭକ୍ତଙ୍କ ସୁରକ୍ଷା ଓ ନିରାପତ୍ତା ମୋର ପ୍ରମୁଖ ଦାୟିତ୍ୱ ରହିବ । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଶ୍ରୀମନ୍ଦିର, ବେଳାଭୂମି ସମେତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁରକ୍ଷା, ସାଇବର କ୍ରାଇମ୍ ସଚେତନତା ଏବଂ ନିୟନ୍ତ୍ରଣ, ଦାଦାବଟି ରୋକିବା ସହିତ ପୁରୀ ଜିଲ୍ଲା ତଥା ସହରର ଅପରାଧ ନିୟନ୍ତ୍ରଣ ପ୍ରତି ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ସେ ପ୍ରକାଶ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମିଶ୍ର ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ପୁରୀର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବରୁ ପୁରୀ ଆରକ୍ଷୀ ଅଧୀକ୍ଷକ(ଏସ.ପି.) ଦାୟିତ୍ୱ ବହନ କରିଥିବା ଡ. କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଥିବା ବେଳେ କଟକ ଡିସିପି ଥିବା ପିନାକି ମିଶ୍ରଙ୍କୁ ପୁରୀ ଏସ୍.ପି. ଭାବେ ଅବସ୍ଥାପିତ କରାଯାଇଛି।
