ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କୋର୍ଟରେ ହାଜର ହୋଇ ECI ଙ୍କ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରିଛନ୍ତି । ଶୁଣାଣି ବେଳେ ମମତା ନିଜେ ଉପସ୍ଥିତ ରହିଲେ ଯୁକ୍ତି ଉପସ୍ଥାପନ କରିଛନ୍ତି । ନିର୍ବାଚନ କମିଶନକୁ ହ୍ବାଟ୍ସ ଆପ୍ କମିଶନ କହି ସିଧାସଳଖ ସେ ଟାର୍ଗେଟ୍ କରିଛନ୍ତି ।
‘Special Intensive Revision’ ନାମରେ ଲକ୍ଷ ଲକ୍ଷ ବୈଧ ଭୋଟରଙ୍କ ନାମ କଟାଯାଉଛି । ଏଥିରେ ଅଧିକାଂଶ ମହିଳା ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଥିବା ଦିଦି ଯୁକ୍ତି ବାଢ଼ିଛନ୍ତି । ପ୍ରାୟ ୩ ହଜାର ୮୦୦ ମାଇକ୍ରୋ-ଅବଜରଭରଙ୍କ ନିଯୁକ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସ୍ଥାନୀୟ ଅଧିକାରୀଙ୍କ ବଦଳରେ ବାହାର ରାଜ୍ୟର ଅଧିକାରୀଙ୍କୁ କାମରେ ଲଗାଯାଇ ଭୋଟର ତାଲିକାରେ ହେରଫେର କରାଯାଉଥିବା ମମତା କହିଛନ୍ତି । ମାମଲାରେ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ ତାରିଖରେ ହେବ ।
ସୂଚନାଯୋଗ୍ୟ, ଏସଆଇଆର ପ୍ରସଙ୍ଗରେ ମମତା ଦୁଇ ଦିନ ତଳେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଏହାପରେ ସିଇସିଙ୍କ ବିରୋଧରେ ସେ ଗଦାଗଦା ଅଭିଯୋଗ ଆଣିଥିଲେ । ନିର୍ବାଚନ କମିଶନ ମିଛ କହୁଛନ୍ତି । ଏପରି ନିର୍ବାଚନ କମିଶନ ସେ କେବେ ଦେଖିନଥିବା ପ୍ରକାଶ କରିଥିଲେ ।
