ପୁରୀ (ଭିଓଭି): ଶ୍ରୀମନ୍ଦିର ସଂସ୍କାର ପାଇଁ ସରକାର ଯେତେ ଯାହା ଯୋଜନା କଲେ ବି, କେତେକ ଜିଦ୍ଖୋର ଏବଂ ଅହଂକାରୀ ସେବକ ମାନଙ୍କ ଯୋଗୁଁ ଶୃଙ୍ଖଳିତ ହୋଇ ପାରୁନି ଶ୍ରୀମନ୍ଦିର ବ୍ୟବସ୍ଥା । ବାରମ୍ବାର ଘଟୁଛି ବିଶୃଙ୍ଖଳା । ଗତ ରବିବାର ଦିନ ଶ୍ରୀମନ୍ଦିରରେ ପୁଣି ଘଟିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ପ୍ରଥମେ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ହେବ ନା ସଂଧ୍ୟା ଆଳତୀ ନୀତି ହେବ! ତୁଟି ପାରିଲାନି ନିର୍ଣ୍ଣୟ । ଶ୍ରୀମନ୍ଦିରର ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଲାଗିଗଲା ବିବାଦ । ଏହାକୁ ନେଇ ସୃଷ୍ଟି ହେଲା ଶ୍ରୀମନ୍ଦିରରେ ନୀତି ବିଶୃଙ୍ଖଳା । ହଜାର ହଜାର ଭକ୍ତ ମହାପ୍ରସାଦ ନ ପାଇ ଫରିଲେ । ନଷ୍ଟ ହେଲା ପ୍ରାୟ ୧୨ ହଜାର ଲୋକ ଖାଇଲା ଭଳି ମହାପ୍ରସାଦ । ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ । ହୋଇ ପାରିଲାନି ପହୁଡ଼ ।
ଘଟଣାରୁ ପ୍ରକାଶ ଯେ, ରବିବାର ସମୟ ଅପରାହ୍ଣ ୪ ଟା ୩୫ ହେବ । ମହାପ୍ରଭୁଙ୍କ ଦର୍ଶନ ଏବଂ ନୀତିକାନ୍ତି ସ୍ୱାଭାବିକ ଚାଲିଥିଲା । ଦ୍ୱିତୀୟ ଭୋଗ ମଣ୍ଡପ ପାଇଁ ଭୋଗ ମଣ୍ଡପ ଘରେ ଅବଢ଼ା ରଖା ସରିଥିଲା । ପୂଜା ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା । ହଠାତ୍ ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବାର ଦେଖା ଯିବାରୁ, ସଙ୍ଗେ ସଙ୍ଗେ ସମସ୍ତ ପ୍ରକ୍ରିୟା ବନ୍ଦ କରି ମହାପ୍ରଭୁଙ୍କ ମହାସ୍ନାନ କରାଯିବାର ପ୍ରସ୍ତୁତି ଆରମ୍ଭ ହେଲା । ମହାସ୍ନାନ ସରିବା ବେଳକୁ ସଂଧ୍ୟା ଆଳତି ସମୟ ଉପସ୍ଥିତ ହେଲାଣି । ସିଂହାରୀ ସେବକ ଅଡ଼ି ବସିଲେ ପ୍ରଥମେ ସଂଧ୍ୟା ଆଳତୀ ନୀତି ହେବା ପରେ ଭୋଗ ମଣ୍ଡପ ପୂଜା ହୋଇ ଅବଢ଼ା ବାହାରିବ । ଏପଟେ ସୁଆର-ମହାସୁଆର ସେବକଙ୍କ ଦାବି, ପ୍ରଚଳିତ ନୀତି ପ୍ରଥା ଅନୁସାରେ ପ୍ରଥମେ ୨ୟ ଭୋଗ ମଣ୍ଡପ ପୂଜା ସରିବା ପରେ ସଂଧ୍ୟା ଆଳତୀ ନୀତି ହେବ । ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବିବାଦ ଏମିତି ତୀବ୍ର ରୂପ ନେଲା ଯେ, କୌଣସି ବି ନୀତି ହୋଇ ପାରିଲା ନାହିଁ । ଏପରିକି, ମହାପ୍ରଭୁଙ୍କ ପହଡ ନୀତି ବି ସମ୍ପନ୍ନ ହୋଇ ପାରିଲା ନାହିଁ । ଶ୍ରୀମନ୍ଦିର ପ୍ରଥା ଅନୁସାରେ ସିଂହାରୀ ସେବକଙ୍କ ଦ୍ୱାରା ବେଶ ନ ବଢ଼ିବା ଯାଏ କୌଣସି ପୂଜା ନୀତି ଅନୁଷ୍ଠିତ ହୋଇ ପାରିବ ନାହିଁ । ତେଣୁ ସିଂହାରୀ ସେବକ ମହାପ୍ରଭୁଙ୍କୁ ବେଶ ନକରି ନିଜ ଜିଦ୍ ରେ ଅଟଳ ରହିଲେ । ଶେଷରେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ଏବଂ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ହସ୍ତକ୍ଷେପ ଫଳରେ ପ୍ରାୟ ୩ ଘଂଟା ବିଳମ୍ବରେ ନୀତି ସ୍ୱାଭାବିକ ହୋଇ ରାତି ୧୧ଟା ୩୫ ମିନିଟ୍ ରେ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ସଂଧ୍ୟା ଆଳତୀ ନୀତି ସମ୍ପନ୍ନ ହୋଇଥିଲା । କିନ୍ତୁ ସେପଟେ ଅବଢ଼ା ବାହାରିବାକୁ ଅପେକ୍ଷା କରି ଭକ୍ତଙ୍କ ଦୁର୍ଦ୍ଦଶା ସବୁ ଚରମ ସୀମା ଟପି ଯାଇଥିଲା । ବିହାହ, ବ୍ରତଘର, ଜନ୍ମଦିନ, ଦଶାହ ଆଦି କାର୍ଯ୍ୟ ପାଇଁ ମହାପ୍ରସାଦ ବରାଦ କରିଥିବା ଲୋକମାନେ ଘରେ ଅତିଥିଙ୍କୁ ବସାଇ ମହାପ୍ରସାଦକୁ ଅପେକ୍ଷା କରି ଅସହାୟ ହୋଇ ପଡିଥିଲେ । ଅତି ବିଳମ୍ବ ହେବାରୁ ଅତିଥିମାନେ ବି ଫେରି ଯାଇଥିଲେ । ବରାଦ କରିଥିବା ଲୋକ ମାନେ ତ ଅବଢ଼ା ନେଲେନି, ଆମେ ୧୨ଟା ରାତିରେ ଅବଢ଼ା ନେଇ କ’ଣ କରିବୁ ବୋଲି ପ୍ରଶ୍ନ କରି ମହାସୁଆର ସେବକ ମାନେ ଭୋଗ ମଣ୍ଡପ ଘରୁ ଆଉ ଅବଢ଼ା ନ ନେଇ ଛାଡି ଚାଲିଯାଇଥିଲେ । ଶେଷରେ ପରାଶାସନିକ ଅଧିକାରୀ ମାନେ ପହଁଚି ବୁଝାସୁଝା କରି କ୍ଷତି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଯାଇ ଭୋଗ ମଣ୍ଡପ ଘରୁ ପରଦିନ ଅବଢ଼ା ବାହାର କରାଯାଇଥିଲା ।
ସୂଚନା ଯୋଗ୍ୟ ଯେ, ଶ୍ରୀମନ୍ଦିରରେ ନୀତି ସବ୍କମିଟି, ଛତିଶାନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ କ୍ରମେ ସମସ୍ତ ନୀତିକାନ୍ତି ନିର୍ଘଂଟ କରାଯାଇଥାଏ । ୨୦୧୯ ମସିହାରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି ଓ ସମୟାନୁବର୍ତିତା ରକ୍ଷା ପାଇଁ କରାଯାଇଥିବା ଚିଠି ଅନୁସାରେ ନୀତି ପାଳନରେ ଖିଲାପ କଲେ ସଂପୃକ୍ତ ସେବାୟତଙ୍କ ପାଳିଆ ପୁରସ୍କାର କାଟିବା ଭଳି ଦୃଢ଼ ପଦକ୍ଷେପ ନେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆଜି ଯାଏ ପାଳନ କରାଯାଉ ନାହିଁ । କେତେକ ଅହଂକାରୀ ସେବକଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏଭଳି ବିଶୃଙ୍ଖଳାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।
