ଆଇସିସି ବିଶ୍ୱକପ ଟି-୨୦ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଟାଇଟଲ ହାତେଇଲା ଭାରତ। ଭାରତର ଘାତକ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ପରାଜୟ ହେଲା ନ୍ୟୁଜିଲାଣ୍ଡ। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ ଶେଷ ହୋଇଛି। ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରିଛି। ମ୍ୟାଚ ଆରମ୍ଭରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା।
ମ୍ୟାଚ ଆରମ୍ଭରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଘାତକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡ ଦଳର ବୋଲିଂ ଫିକା ପଡିଥିଲା। ନିର୍ଦ୍ଧାରିତ ୨୦ ଓଭର ଖେଳି ଭାରତ ୫ଓ୍ବିକେଟ ହରାଇ ୨୫୫ ରନ ସଂଗ୍ରହ କରିଛି। ଆରମ୍ଭରୁ ଦୁଇ ଓପନର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ୭ଓଭର ୧ବଲ ଖେଳି ୯୮ରନ କରିଥିଲେ। ସଞ୍ଜୁ ସାମସନ ୪୬ବଲ ଖେଳି ୮ଟି ଛକା ଓ ୫ଟି ଚୌକା ସହ ସର୍ବାଧିକ ୮୯ରନ ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ୨୧ ବଲରେ ୬ଚୌକା ଓ ୩ଛକା ସହ ୫୨ ରନ,ଈଶାନ କିଷାନ ୨୫ ବଲରେ ୪ଟି ଚୌକା ଓ ୪ଟି ଛକା ସହ ୫୪ ରନ ଏବଂ ଶିବମ ଦୁବେ ୮ ବଲରେ ୩ଟି ଚୌକା ଓ ୨ଟି ଛକା ସହ ୨୬ ରନ ସଂଗ୍ରହ କରିଛନ୍ତି।
ଜବାବରେ ନ୍ୟୁଜିଲାଣ୍ଡ ୧୯ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୫୯ ରନ କରିବାରେ ସକ୍ଷମ ହୋଇଛି। ଭାରତୀୟ ବୋଲର ଯଶପ୍ରୀତ ବୁମରା ସର୍ବାଧିକ ୪ଟି ଓ୍ବିକେଟ ହାସଲ କରିଛନ୍ତି। ସେହିପରି ବୋଲର ଅକ୍ସର ପଟେଲ ୩ଟି ଏବଂ ହାର୍ଦିକ ପାଣ୍ଡ୍ୟା,ବରୁଣ ଚକ୍ରବର୍ତୀ ଓ ଅଭିଷେକ ଶର୍ମା ୧ଟି ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସେଫାର୍ଟ ୫ଟି ଛକା ଓ ୨ଟି ଚୌକା ସହ ସର୍ବଧିକ ୫୨ରନ ସଂଗ୍ରହ କରିଛନ୍ତି।
