ନୂଆଦିଲ୍ଲୀ : NEET-UG ପେପର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ । ମାଷ୍ଟରମାଇଣ୍ଡ ପୁଣେର ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କଲା CBI । ଦିଲ୍ଲୀରୁ ବରିଷ୍ଠ ଉଦ୍ଭିଦ ବିଜ୍ଞାନ ଶିକ୍ଷୟିତ୍ରୀ ମନୀଷା ଗୁରୁନାଥ ମାନ୍ଧାରେଙ୍କୁ ଗିରଫ କରିଛି ସିବିଆଇ। ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଛି। ସେ ବାୟୋଲୋଜି ବିଭାଗର ପ୍ରଶ୍ନପତ୍ର ଲିକ୍ କରିବାରେ ପ୍ରମୁଖ ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଛି।
ମହାରାଷ୍ଟ୍ରର ପୁଣେର ଏକ ପ୍ରତିଷ୍ଠିତ କଲେଜରେ କାର୍ଯ୍ୟରତ ମାନ୍ଧାରେଙ୍କୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ଜଣେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ବଟାନି ଓ ଜୁଲୋଜି ପ୍ରଶ୍ନପତ୍ର ଦେଖିବାର ସିଧାସଳଖ ସୁଯୋଗ ମିଳିଥିଲା। NTA ଦ୍ୱାରା ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ବିଶେଷଜ୍ଞ ଭାବେ ମନୋନୀତ ମାନ୍ଧାରେ ନିଜ ପଦବୀର ଅପବ୍ୟବହାର କରି ଗୋପନୀୟ ପ୍ରଶ୍ନ ଲିକ୍ କରିଥିଲେ।
ଗତ ୧୪ ରେ ଗିରଫ ହୋଇଥିବା ଏକ ବିୟୁଟି ପାର୍ଲର ମାଲିକାଣୀ ମନୀଷା ୱାଘମାରେଙ୍କ ସହ ମିଶି ପରୀକ୍ଷାର୍ଥୀମାନଙ୍କୁ ଯୋଗାଡ଼ କରିଥିଲେ। ମାନ୍ଧାରେ ତାଙ୍କ ପୁଣେ ବାସଭବନରେ ବେଆଇନ ଭାବେ କୋଚିଂ କ୍ଲାସର ଆୟୋଜନ କରିଥିଲେ। ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଲିକ୍ ହୋଇଥିବା ବାୟୋଲୋଜି ପ୍ରଶ୍ନଗୁଡ଼ିକୁ ଖାତାରେ ଲେଖିବାକୁ ଏବଂ ପାଠ୍ୟପୁସ୍ତକରେ ଚିହ୍ନଟ କରିବାକୁ କୁହାଯାଇଥିଲା।
CBI ନିଶ୍ଚିତ କରିଛି ଯେ ଏହି ଗୁପ୍ତ କ୍ଲାସରେ ଦିଆଯାଇଥିବା ଅଧିକାଂଶ ପ୍ରଶ୍ନ ଚୂଡ଼ାନ୍ତ NEET-UG 2026 ପ୍ରଶ୍ନପତ୍ର ସହ ସମ୍ପୂର୍ଣ୍ଣ ମିଳିଯାଇଥିଲା।ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ CBI ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଛଅଟି ସ୍ଥାନରେ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଡିଭାଇସ୍, ବ୍ୟାଙ୍କ ରେକର୍ଡ ଏବଂ ଦଲିଲ୍ ଜବତ କରିଛି। ମାନ୍ଧାରେଙ୍କୁ ମିଶାଇ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କଲାଣି ସିବିଆଇ। ଲିକ୍ ହୋଇଥିବା ପ୍ରଶ୍ନପତ୍ର ପାଇବା ପାଇଁ ଛାତ୍ରଛାତ୍ରୀମାନେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ପୁନଃ-ପରୀକ୍ଷା ଜୁନ୍ ୨୧ ରେ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
