ନ୍ୟୁୟର୍କ: ଚଳିତ ଫିଫା ବିଶ୍ବକପ୍ର ରାଉଣ୍ଡ ଅଫ୍ ୧୬ରୁ ପର୍ତ୍ତୁଗାଲ୍ ଦଳ ବିଦାୟ ନେବା ପରେ ୪୧ ବର୍ଷ ବୟସ୍କ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହେଲେ ରୋନାଲ୍ଡୋ ଦଳ ପ୍ରତି ଆନୁଗତ୍ୟ ଦେଖାଇବା ସହ ଆନ୍ତର୍ଜାତିକ ଅବସର ନେଇ ଚୁପ୍ ରହିଛନ୍ତି। ସ୍ପେନ୍ ବିପକ୍ଷରେ ବିଶ୍ବକପ୍ର ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍ ପୂର୍ବରୁ ରୋନାଲ୍ଡୋ ଘୋଷଣା କରିଥିଲେ ଯେ ଏହା ତାଙ୍କର ଅନ୍ତିମ ବିଶ୍ବକପ୍। ଉକ୍ତ ମ୍ୟାଚ୍ର ଶେଷ ଆଡ଼କୁ ମିକେଲ ମେରିନୋଙ୍କ ଏକମାତ୍ର ଗୋଲ୍୍ରେ ଜିତି ସ୍ପେନ୍ କ୍ବାର୍ଟରରେ ପ୍ରବେଶ କରିଥିବା ବେଳେ ପର୍ତ୍ତୁଗାଲ ବିଦାୟ ନେଇଥିଲା।
ଏହି ମ୍ୟାଚ୍ରେ ପର୍ତ୍ତୁଗାଲ୍ ଭଲ ପ୍ରଦର୍ଶନ କରିଥିବା ବେଳେ ରୋନାଲ୍ଡୋ ନିଜେ ଓ ବ୍ରୁନୋ ଫର୍ଣ୍ଣାଣ୍ଡେଜ୍ ସହଜ ଗୋଲ୍୍ ଦେବାର ସୁଯୋଗ ହରାଇଥିଲେ। ଫଳରେ ଫୁଟ୍ବଲ ଦୁନିଆର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ବିଶ୍ବକପ୍ରେ ରୋନାଲ୍ଡୋଙ୍କ ଯାତ୍ରା ସମାପ୍ତ ହୋଇ ଯାଇଥିଲା। ପରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ରୋନାଲ୍ଡୋ ଲେଖିଥିଲେ- ସର୍ବଦା ପର୍ତ୍ତୁଗାଲ। ୨୦୦୬ ବିଶ୍ବକପ୍ରେ ରୋନାଲ୍ଡୋ ପଦାର୍ପଣ କରିଥିବା ବେଳେ ପର୍ତ୍ତୁଗାଲ ୪ର୍ଥ ସ୍ଥାନ ହାସଲ କରିଥିଲା। ୨୦୧୦ରେ ପର୍ତ୍ତୁଗାଲ ପ୍ରିକ୍ବାର୍ଟରରୁ ବିଦାୟ ନେଇଥିବା ବେଳେ ୨୦୧୪ରେ ଗ୍ରୁପ୍ ପର୍ଯ୍ୟାୟରୁ, ୨୦୧୮ରେ ପ୍ରିକ୍ବାର୍ଟଫାଇନାଲରୁ ଏବଂ ୨୦୨୨ରେ କ୍ବାର୍ଟରଫାଇନାଲରୁ ପର୍ତ୍ତୁଗାଲ ବିଦାୟ ନେଇଥିଲା। ୬ଟି ବିଶ୍ବକପ୍ ଖେଳି ରୋନାଲ୍ଡୋ ବିଶ୍ବରେ ୨ୟ ସର୍ବାଧିକ ୨୭ଟି ମ୍ୟାଚ୍ ଖେଳି ପର୍ତ୍ତୁଗାଲ ପାଇଁ ସର୍ବାଧିକ ୧୧ଟି ଗୋଲ୍୍ ଦେଇଛନ୍ତି। ବିଶ୍ବର ପ୍ରଥମ ଖେଳାଳି ଭାବେ ରୋନାଲ୍ଡୋ ୬ଟି ବିଶ୍ବକପ୍ରେ ଗୋଲ୍ ସ୍କୋର୍ କରିଛନ୍ତି।
