ହରାରେ : ଭାରତ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଶନିବାର ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ। ପ୍ରଥମ ମ୍ୟାଚକୁ ଭାରତ ସହଜରେ ୭ ୱିକେଟରେ ଜିତିଥିଲା। ଦ୍ବିତୀୟ ମ୍ୟାଚକୁ ଜିତି ଶୃଙ୍ଖଳା ବିଜୟ ନେଇ ଭାରତ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଘରୋଇ ଜିମ୍ବାୱେ ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଦ୍ବିତୀୟ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ କରିବ।
ଶ୍ରେୟସ ଆୟରଙ୍କ ଅଧିନାୟକତ୍ବରେ ଭାରତ ଆୟରର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ପରାଜିତ ହୋଇଥିଲା। ଜିମ୍ବାୱେ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଭାରତ ବିଜୟ ହାସଲ କରିଛି। ଶ୍ରେୟସଙ୍କ ଟ୍ବେଣ୍ଟି୨୦ ଅଧିନାୟକତ୍ବରେ ଏହା ପ୍ରଥମ ବିଜୟ। ଏବେ ଶ୍ରେୟସଙ୍କ ନିକଟେର ଶୃଙ୍ଖଳା ବିଜୟ ନେଇ ବଡ଼ ସୁଯୋଗ ରହିଛି। ପ୍ରଥମ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା। ଦ୍ରୁତ ବୋଲର ମୟଙ୍କ ଯାଦବ, ପ୍ରିନ୍ସ ଯାଦବଙ୍କ ସହ ରବି ବିଷ୍ଣୋୟୀ ଓ ଶିବମ ଦୁବେ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ଅଶୋକ ଶର୍ମା ୪ ଓଭର ବୋଲିଂ କରି ୨୯ରନ ବ୍ୟୟ କରିଥିଲେ ମଧ୍ୟ କୌଣସି ୱିକେଟ ପାଇନଥିଲେ।
ଶୋକଙ୍କ ସ୍ଥାନରେ ଅର୍ଶଦୀପ୍ ସିଂହ ଖେଳିବା ନେଇ ଆଶା କରାଯାଉଛି। ବ୍ୟାଟିଂରେ ବୈଭବ ସୂଯ୍ୟବଂଶୀ ୧୯ଟି ବଲରୁ ୫୦ରନ କରି ଦକ୍ଷତାର ପରିଚୟ ଦେଇଛନ୍ତି। ଅଭିଷେକ ପ୍ରଥମ ମ୍ୟାଚରେ ମାତ୍ର ୧ରନ କରି ଆଉଟ୍ ହୋଇଥିଲେ। ଈଶାନ କିଷନ ୩୫, ଶ୍ରେୟସ ଆୟର ୨୮ରନ କରିଥିଲେ। ଉଭୟ କ୍ଷେତ୍ରରେ ଭାରତ ଭଲ ପ୍ରଦର୍ଶନ କରୁଥିବାରୁ ଦ୍ବିତୀୟ ମ୍ୟାଚକୁ ଜିତି ଶୃଙ୍ଖଳା ବିଜୟ ନେଇ ଉଦ୍ୟମ କରିବ। ସେହିପରି ସିକନ୍ଦର ରାଜାଙ୍କ ନେତୃତ୍ବାଧିନ ଜିମ୍ବାୱେ ପ୍ରଥମ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିଲା। ୱେସଲି ମାଧେଭେରେ ୩୯ ଓ ତାଡିୱାନାସେ ମାରୁମାନିଙ୍କ ୨୭ରନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ବ୍ରାୟାନ ବେନେଟ୍, ବେନ୍ କୁରାନ, ଡିଅନ ମେୟର୍ସ, ସିକନ୍ଦର ରାଜା ଓ ରିୟାନ ବୁରି ପ୍ରମୁଖ ବିଫଳ ହୋଇଥିଲେ। ଦଳକୁ ବ୍ୟାଟିଂ ବିଭାଗକୁ ସୁଧାରିବାକୁ ପଡ଼ିବ। ବୋଲିଂରେ ବ୍ଲେସିଂ ମୁଜରବାନି, ରିଚାର୍ଡ ନାଗରାଭା, ବ୍ରାଡ୍ ଇଭିନ୍, ନ୍ୟୁମାନ ନୟନହୁରୀ ବିଫଳ ହୋଇଥିଲେ। ଦଳକୁ ଶୃଙ୍ଖଳାରେ ତିଷ୍ଠି ରହିବାକୁ ହେଲେ ଦ୍ବିତୀୟ ମ୍ୟାଚକୁ ଜିତିବାକୁ ପଡ଼ିବ। ଏହି ଦୃଷ୍ଟିରୁ ଦଳକୁ ଉଭୟ କ୍ଷେତ୍ରରେ ଭଲ କ୍ରିକେଟ ଖେଳିବାକୁ ପଡ଼ିବ।
