ପୁରୀ(ଭିଓଭି): ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଶ୍ରୀମନ୍ଦିର ଚାରିପାଖ ତଥା ଶ୍ରୀମନ୍ଦିର ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତା କଡରେ ଦୋକାନ କରି ଗୁଜୁରାଣ ମେଂଟାଉ ଥିବା ଶହ ଶହ ଉଠା ଦୋକାନୀ ପୁନଃ ଥଇଥାନ ଦାବି କରି ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ପ୍ରକାଶ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରି ପାଖରୁ ଏବଂ ପରେ ବଡବଜାର ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରାସ୍ତା କଡରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରା ଯାଇଥିଲା । ଏହାଦ୍ୱାରା ପୁରୀ ସହରରେ ରାସ୍ତା କଡରେ ଦୋକାନ ଖଣ୍ଡିଏ କରି ଗୁଜୁରାଣ ମେଂଟାଉ ଥିବା ଶହ ଶହ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିଲେ । ସେମାନଙ୍କୁ ବିଭିନ୍ନ ସପିଙ୍ଗ ମଲ୍ ରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଏଥି ସହିତ କ୍ଷତିଗ୍ରସ୍ତ ବ୍ୟବସାୟୀ ଙ୍କୁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । ମାତ୍ର ହାତ ଗଣତି କିଛି କିଛି ବ୍ୟବସାୟୀ ଙ୍କୁ ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଇଥିବା ବେଳେ, ଦୀର୍ଘ ଦିନ ଧରି ବ୍ୟବସାୟ ହରାଇଥିବା ଶହ ଶହ କ୍ଷତିଗ୍ରସ୍ତ ବ୍ୟବସାୟୀ ମାନଙ୍କ ପାଇଁ ସରକାର କିଛି ବି ପଦକ୍ଷେପ ନେଲେ ନାହିଁ । ଏଥିପାଇଁ ବିଭିନ୍ନ ଉଠାଦୋକାନୀ ସଂଗଠନ ମାନଙ୍କ ପକ୍ଷରୁ ବାରମ୍ବାର ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଇଥିଲେ ମଧ୍ୟ ଥଇଥାନ ର କୌଣସି ସୂତ୍ର ବାହାରୁ ନଥିବାରୁ ଶେଷରେ ସମସ୍ତ ଉଠାଦୋକାନୀ ସଂଗଠନ ଏକାଠି ହୋଇ ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ରାଜ୍ୟ ସଭାପତି ମହେଶ୍ୱର ବଳ, ସଂପାଦିକା ସ୍ୱୟଂପ୍ରଭା ସାହୁ, ନୀଳାଚଳ କ୍ଷୁଦ୍ର ବ୍ୟବସାୟୀ ସଂଘ ଉପଦେଷ୍ଟା ରବି ନାୟକ, ସଭାପତି ଅନନ୍ତ ରାଓ, ସଂପାଦକ ମାନଓ ରଥଙ୍କ ସମେତ ରିଙ୍କୁ କୁମାର ଦାସ, ପ୍ରଦୀପ ପରିଡା, ଜଗା ପ୍ରଧାନ, ବାବୁ ଦାସ, ପ୍ରଦୀପ ନାୟକ, ତାପସ ପ୍ରଧାନ, ରବିନାରାୟଣ ପଣ୍ଡା, କୃଷ୍ଣଚନ୍ଦ୍ର ବିଶ୍ୱାଳ, ନବକିଶୋର ସାହୁ, ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ଉଠାଦୋକାନୀ ନେତା ମାନଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ସାମନାରେ ଆଜି ଶହ ଶହ ସଂଖ୍ୟାରେ ଗଣ ଧାରଣାରେ ବସିଛନ୍ତି । ଏଥିରେ ବହୁ ମହିଳା ଉଠା ଦୋକାନୀ ସାମିଲ ଥିବାର ଦେଖିବାକୁ ମିଳିଛି । ଏହି ସମସ୍ୟା ସମାଧାନର ବାଟ ନବାହାରିଲେ ଆସନ୍ତା ୨୬ ତାରିଖରେ ପୁରୀ ସହରରେ ବନ୍ଦ ପାଳନ କରାଯିବା ସହିତ ଆଗକୁ ଅନ୍ଦୋଳନ ଜାରି ରହିବ ଏବଂ ଉଠାଦୋକାନୀ ମାନେ ପୁନର୍ବାର ବଡଦାଣ୍ଡ କୁ ଫେରି ଆସିବେ ବୋଲି ଉଠାଦୋକାନୀ ସଂଗଠନ ନେତାମାନେ ପ୍ରକାଶ କରିଛନ୍ତି ।
