ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରି ସେ ରାଜ୍ୟର ବିକାଶ, ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ଯୁବବର୍ଗଙ୍କ ଭବିଷ୍ୟତ ନେଇ ସରକାରଙ୍କ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ବ୍ୟବସ୍ଥା କରିଛି। ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଯୋଜନାରେ ରାଜ୍ୟରେ ୨୨୦୦ଟି ବିଦ୍ୟାଳୟ ନିର୍ମାଣ କରାଯିବ। ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୨୬ ହଜାର ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ଆଗାମୀ ଦିନରେ ଆଉ ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଅନଲାଇନ୍ କୋଚିଂ ବ୍ୟବସ୍ଥା ସହ ଏଆଇ ତାଲିମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ରାଜ୍ୟର ୪ଟି ସ୍ଥାନରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।

କୃଷି କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯାଉଛି। ପଶୁପାଳକ ଓ ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ୮୦ତମ ସ୍ୱାଧୀନତା ଦିବସରେ ଦେଶର ଇତିହାସରେ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଛି ବୋଲି କହିବା ସହ ‘ବନ୍ଦେ ମାତରମ୍’କୁ ଉପଯୁକ୍ତ ସମ୍ମାନ ମିଳିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ରାଜ୍ୟ ଓ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିଥିଲେ।
ଦେଶର ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ଭାରତ ବିକାଶ ଦିଗରେ ଦ୍ରୁତ ଗତିରେ ଆଗେଇଛି। ଭାରତ ଏବେ ଏକ ବୃହତ୍ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ଦେଶର ସୁରକ୍ଷା ବ୍ୟବସ୍ଥା ମଧ୍ୟ ମଜବୁତ ହୋଇଛି। ଅପରେସନ୍ ସିନ୍ଦୂରକୁ ସ୍ମରଣ କରି ସେ ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ସ୍ୱଚ୍ଛ ଭାରତ ମିଶନ୍ଠାରୁ ଆରମ୍ଭ କରି ଗ୍ୟାସ୍, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦେଶରେ ଆସିଥିବା ପରିବର୍ତ୍ତନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶୀର୍ବାଦରେ ରାଜ୍ୟ ସରକାର ‘ସବକା ସାଥ୍, ସବକା ବିକାଶ’ ନୀତିରେ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ସମସ୍ତ ଗାଁକୁ ଖୁବ୍ଶୀଘ୍ର ରାସ୍ତା ଓ ବିଦ୍ୟୁତ ସେବା ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଏହାସହ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷ ଓ ସଂଗ୍ରାମୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପଣ୍ଡିତ ଗୋପବନ୍ଧୁ ଦାସ, ଲକ୍ଷ୍ମଣ ନାୟକ, ସୁରେନ୍ଦ୍ର ସାଏ, ନବକୃଷ୍ଣ ଚୌଧୁରୀ, ଡ. ହରେକୃଷ୍ଣ ମହତାବଙ୍କ ସମେତ ଓଡ଼ିଶାର ବହୁ ସଂଗ୍ରାମୀଙ୍କ ଅବଦାନକୁ ସେ ସ୍ମରଣ କରିଥିଲେ। ଜୟୀ ରାଜଗୁରୁ ଓ ପାଇକ ବିଦ୍ରୋହର ବୀରମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
