ନୂଆଦିଲ୍ଲୀ: ଇଣ୍ଡୋନେସିଆ ତଟ ନିକଟରେ ଶନିବାର ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି । ଭୂକମ୍ପର ତୀବ୍ରତା ୭.୭ ରହିଥିବା ଜଣାପଡ଼ିଛି । ଏହା ପରେ ସୁନାମି ଆସିବାର ଆଶଙ୍କାରେ ସତର୍କତା ଜାରି କରାଯାଇଛି। ଭୂକମ୍ପ ପରେ ଅନେକ ଥର ହାଲୁକା ଝଟକା ମଧ୍ୟ ଅନୁଭୂତ ହୋଇଛି। ଭୂକମ୍ପରେ ଅତି କମରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଓ ଇଣ୍ଡୋନେସିଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୂକମ୍ପ ପରେ ସୁନାମି ଆଶଙ୍କାରେ କିଛି ସମୟ ପାଇଁ ସତର୍କତା ଜାରି କରାଯାଇଥିଲା। ଏହାପରେ ଶହ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।
ୟୁରୋପିଆନ୍-ମେଡିଟେରେନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର (EMSC) ଅନୁସାରେ, ଭୂକମ୍ପର କେନ୍ଦ୍ର ସମୁଦ୍ର ଭିତରେ ଥିଲା । ଏହାର ଗଭୀରତା ପ୍ରାୟ ୩୫ କିଲୋମିଟର ଥିଲା । ସ୍ଥାନୀୟ ସମୟ ଅନୁସାରେ ଭୋର ପ୍ରାୟ ୪ଟା ୫୮ ମିନିଟରେ ଏହି ଭୂକମ୍ପ ରେକର୍ଡ ହୋଇଥିଲା । ମୁଖ୍ୟ ଭୂକମ୍ପ ପରେ ଅତି କମରେ ତିନୋଟି ପରବର୍ତ୍ତୀ ଝଟକା ବା ଆଫ୍ଟରଶକ୍ ମଧ୍ୟ ରେକର୍ଡ ହୋଇଛି। ଏହା ଫଳରେ ଆଗକୁ ଆହୁରି ଝଟକା ହେବାର ଆଶଙ୍କା ରହିଛି।
ଇଣ୍ଡୋନେସିଆର ପାଣିପାଗ ଓ ଭୂଭୌତିକ ବିଜ୍ଞାନ ସଂସ୍ଥା BMKG ପକ୍ଷରୁ କିଛି ଅଞ୍ଚଳ ପାଇଁ ତୁରନ୍ତ ସୁନାମି ସତର୍କତା ଜାରି କରାଯାଇଛି । ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଭୂକମ୍ପର ପ୍ରଭାବ କେଉଁ ଅଞ୍ଚଳରେ ଅଧିକ ହୋଇପାରେ, ସେନେଇ ମଧ୍ୟ ଆକଳନ କରାଯାଉଛି। ଅନ୍ୟପଟେ, ଅଷ୍ଟ୍ରେଲିଆର ସୁନାମି ସତର୍କତା ସଂସ୍ଥା କହିଛି ଯେ ଏହି ଭୂକମ୍ପ ଯୋଗୁଁ ଅଷ୍ଟ୍ରେଲିଆର ମୁଖ୍ୟ ଭୂଭାଗ, ଦ୍ୱୀପ କିମ୍ବା ଅନ୍ୟ ଅଞ୍ଚଳ ପାଇଁ କୌଣସି ସୁନାମି ବିପଦ ନାହିଁ।
ସମୁଦ୍ର ଭିତରେ ଭୂକମ୍ପ ହୋଇଥିବାରୁ ଇଣ୍ଡୋନେସିଆର ଭୂଭାଗରେ ଏହାର ପ୍ରଭାବ କେତେ ରହିଛି, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଏପର୍ଯ୍ୟନ୍ତ ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତି ନେଇ କୌଣସି ଖବର ମିଳିନାହିଁ। ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିବା ସହ ଅଧିକ ସୂଚନାକୁ ଅପେକ୍ଷା କରୁଛନ୍ତି।
