ରଣପୁର, ୧୬/୦୮: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନସ୍ଥ ପଞ୍ଚୁଦୋଳ ପଡ଼ିଆଠାରେ ୮୦ତମ ପବିତ୍ର ସ୍ୱାଧୀନତା ଦିବସ ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ରଣପୁର ମହାବିଦ୍ୟାଳୟର ଏନ୍.ସି.ସି. ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଭାଗ୍ୟଧର ସ୍ୱାଇଁଙ୍କ ନେତୃତ୍ୱରେ ଆକର୍ଷଣୀୟ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ପ୍ୟାରେଡ୍ର ଶୃଙ୍ଖଳାବଦ୍ଧ ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।

ଏହି ଅବସରରେ ବୀର ଶହୀଦ ରଘୁନାଥ ମହାନ୍ତି ଓ ଶହୀଦ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରି ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ମହାନ୍ ବୀରମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ଥାନା ଅଧିକାରୀ ଶ୍ରୀ ଆଶିଷଦେବ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି, ଜନପ୍ରତିନିଧି, ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

ସ୍ୱାଧୀନତା ଦିବସକୁ ଅଧିକ ରଙ୍ଗାରଙ୍ଗ ଓ ଆକର୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦେଶପ୍ରେମ, ତ୍ୟାଗ ଓ ଜାତୀୟତାର ଭାବନାରେ ପରିପୂର୍ଣ୍ଣ ଏହି ଉତ୍ସବ ସମଗ୍ର ପରିବେଶକୁ ଉତ୍ସବମୁଖର କରିଥିଲା।
