ଯାଜପୁର: ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀରେ ପଞ୍ଚମ ବନ୍ୟା । ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ । ଏଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ବର୍ତ୍ତମାନ ୧୮.୭୫ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ବଲ୍ଳଭିଘାଟ ଓ ଦଶରଥପୁରରେ ମଧ୍ୟ ବିପଦ ସଂକେତ ଉପରେ ରହିଛି ଜଳସ୍ତର। ବୈତରଣୀ ବନ୍ୟା ଫଳରେ ଯାଜପୁର ଏବଂ ଦଶରଥପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି । ଦଶରଥପୁରରେ ୧୯ ପଞ୍ଚାୟତ ଜଳବନ୍ଦୀ ରହିଛି ।

ଦଶରଥପୁର ଡୋଭାବିଲ ପାଟଣା ଠାରେ ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଉପରଦେଇ ବନ୍ୟାପାଣି ଗାଁକୁ ପୁଣିଥରେ ପ୍ରବେଶ କରିଛି । ଗାଁ ଦାଣ୍ଡରେ ପୁଣି ବନ୍ୟା ପାଣି ଲହଡି ମାରୁଛି । ଅନେକ ପରିବାର ଏବେବି ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଆଉ କିଛି ପରିବାର ଆଶ୍ରୟସ୍ଥଳୀ ଓ ଛାତ ଉପରେ ଜୀବନ କାଟୁଛନ୍ତି। କେବଳ ଘରଦ୍ୱାର ନୁହେଁ, ବନ୍ୟାରେ ଚାଷଜମି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିଭଳି ବ୍ରାହ୍ମଣୀ ଓ ଖରସ୍ରୋତାରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିବା ଦେଖାଦେଇଛି।

ହେଲେ ଏହାର ପ୍ରଭାବରେ ବରୀ, ବିଂଝାରପୁର, ରସୁଲପୁର ବ୍ଲକ ର ଅନେକ ଅଞ୍ଚଳ ରେ ଏବେବି ଲୋକେ ଜଳବନ୍ଦୀ ହୋଇ ଅଛନ୍ତି। ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ସ୍କୁଲ ଛୁଟି। ବରୀ, ବିଂଝାରପୁର, ଦଶରଥପୁର ଓ ଯାଜପୁର ବ୍ଲକର ସମସ୍ତ ସ୍କୁଲ ବନ୍ଦ ରହିବ। ଅନ୍ୟ ବ୍ଳକ ଗୁଡ଼ିକରେ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବନ୍ଦ ରହିବ ସ୍କୁଲ।
