ରଣପୁର, ୧୯/୦୮ : ରଣପୁର ବ୍ଲକ ଅନ୍ତର୍ଗତ ପମ୍ପଡ଼ା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟା ଓ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଏକ ଶିକ୍ଷା ବିଶେଷଜ୍ଞ ଦଳ। ଏହି ଦଳରେ ଲାଙ୍ଗୁଏଜ୍ ଆଣ୍ଡ ଲର୍ଣ୍ଣିଂ ଫାଉଣ୍ଡେସନ୍ (LLF), ଇଣ୍ଡିଆର ଏକାଡେମିକ୍ ମ୍ୟାନେଜର ରମେଶ ଚନ୍ଦ୍ର, ଲାଙ୍ଗୁଏଜ୍ ଆଣ୍ଡ ଲର୍ଣ୍ଣିଂ ଫାଉଣ୍ଡେସନ୍ ଓଡିଶାର ଷ୍ଟେଟ ମ୍ୟାନେଜର କାର୍ତ୍ତିକ ଚନ୍ଦ୍ର ସାହୁ, ସେଣ୍ଟ୍ରାଲ୍ ସ୍କୋୟାର୍ ଫାଉଣ୍ଡେସନ୍ର ତନ୍ମୟୀ ଦାସ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷକ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୟାଗଡ଼ର ଶିକ୍ଷକ ପ୍ରଶିକ୍ଷକ ମାନସ କୁମାର ସାହୁ ଏବଂ ସହକାରୀ ବ୍ଲକ ଶିକ୍ଷା ଅଧିକାରୀଣୀ ଲକ୍ଷ୍ମୀ ଦେଇ ପ୍ରମୁଖ ସାମିଲ ଥିଲେ।

ପରିଦର୍ଶନ ସମୟରେ ଦଳ ପକ୍ଷରୁ ବିଦ୍ୟାଳୟର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶ୍ରେଣୀର ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟା, ଶିକ୍ଷଣ ସୋପାନ, ଶ୍ରେଣୀଗୃହର ଶିକ୍ଷଣ ପଦ୍ଧତି ଏବଂ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଅନୁଧ୍ୟାନ କରାଯାଇଥିଲା। ଏଥିସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଶିକ୍ଷଣ ସ୍ତର ଓ ଶ୍ରେଣୀରେ ଅଂଶଗ୍ରହଣ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯାଇଥିଲା।

ପରେ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ପ୍ରଧାନ ଶିକ୍ଷୟିତ୍ରୀ ମଧୁଛନ୍ଦା ମହାନ୍ତି, ବରିଷ୍ଠ ଶିକ୍ଷକ ଅଜୟ କୁମାର ସାହୁ ଓ ଭାଗବତ ଜେନାଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ବିଭିନ୍ନ ଏକାଡେମିକ୍ କାର୍ଯ୍ୟକ୍ରମ ଓ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟା ଓ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକାରିତାକୁ ନେଇ ପର୍ଯ୍ୟବେକ୍ଷକ ଦଳ ସନ୍ତୋଷ ପ୍ରକାଶ କରିବା ସହ ସକାରାତ୍ମକ ମତାମତ ପ୍ରଦାନ କରିଥିଲେ।

ପରବର୍ତ୍ତୀ ସମୟରେ ଦଳ ଜିଲ୍ଲା ଶିକ୍ଷା ପ୍ରଶିକ୍ଷକ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ନୟାଗଡ଼, ରାଜସୁନାଖଳା ପରିଦର୍ଶନ କରିଥିଲେ। ସେଠାରେ ଅନୁଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାସ, ବଟକୃଷ୍ଣ ସାହୁ ଓ ୨୦ ଜଣ ବରିଷ୍ଠ ଶିକ୍ଷକଙ୍କ ସହ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକାରିତା, ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଏବଂ ଶିକ୍ଷକମାନଙ୍କୁ ଏକାଡେମିକ୍ ସହାୟତା ଯୋଗାଇବା ନେଇ ଆଲୋଚନା କରାଯାଇଥିଲା।

ଏହି ପରିଦର୍ଶନ ଓ ସମୀକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ଆହୁରି ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ନେଇ ଆବଶ୍ୟକୀୟ ମତାମତ ଓ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା।
