ବାଲିପାଟଣା,୧୯/୦୮():ବାଲିପାଟଣା ଅଞ୍ଚଳରେ ବିଦ୍ୟୁତ୍ ବିଭାଗର ଅଘୋଷିତ ବିଦ୍ୟୁତ୍ କାଟ ଏବେ ସାଧାରଣ ଲୋକଙ୍କ ପାଇଁ ଯନ୍ତ୍ରଣାର କାରଣ ପାଲଟିଛି। କେତେବେଳେ ବିଦ୍ୟୁତ୍ ଯିବ ଏବଂ କେତେବେଳେ ଆସିବ ତାହାର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ,ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟର ଆଳ ଦେଖାଇ ଦିନକୁ ଅନେକ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି। ଅନେକ ଦିନ ଧରି ଦିନକୁ ପ୍ରାୟ ୫-୮ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ଆସୁଛି। ଦିନ ସମୟରେ ବିଦ୍ୟୁତ୍ କାଟ ସହ ରାତିରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ନଥିବାରୁ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି।ବର୍ତ୍ତମାନ ଗୁଳୁଗୁଳି ମଧ୍ୟରେ ବାରମ୍ବାର ବିଦ୍ୟୁତ୍ କାଟ ହେବା ଯୋଗୁଁ ସାଧାରଣ ଜୀବନଯାପନ ବ୍ୟାହତ ହେଉଛି। ଘରୋଇ କାର୍ଯ୍ୟଠାରୁ ଆରମ୍ଭ କରି ଦୋକାନ, ବ୍ୟବସାୟ,ଅନଲାଇନ୍ କାର୍ଯ୍ୟ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି।
ବିଦ୍ୟୁତ୍ ଆସିବା ନେଇ ସ୍ପଷ୍ଟ ସୂଚନା ନଥିବାରୁ ଲୋକେ ଅନିଶ୍ଚିତତାରେ ରହୁଛନ୍ତି।ଅଭିଯୋଗ ହେଉଛି, ବିଦ୍ୟୁତ୍ କାଟ ସମ୍ପର୍କରେ ସୂଚନା ଜାଣିବା ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଫୋନ୍ କଲେ ମଧ୍ୟ ଅନେକ ସମୟରେ ଫୋନ୍ ରିସିଭ୍ ହେଉନାହିଁ।ଫଳରେ ସମସ୍ୟା ସମ୍ପର୍କରେ ଜାଣିବା ତ ଦୂରର କଥା, ବିଦ୍ୟୁତ୍ କେବେ ସ୍ୱାଭାବିକ ହେବ ସେନେଇ ମଧ୍ୟ ଉପଭୋକ୍ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳୁନଥିବା ଅଭିଯୋଗ ରହିଛି।ବାରମ୍ବାର ବିଦ୍ୟୁତ୍ କାଟ ନେଇ ଅଞ୍ଚଳବାସୀ ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନଥିବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ୁଛି। ରକ୍ଷଣାବେକ୍ଷଣ କାର୍ଯ୍ୟ ଆବଶ୍ୟକ ଥିଲେ ମଧ୍ୟ ଏଥିପାଇଁ ପୂର୍ବରୁ ଉପଭୋକ୍ତାଙ୍କୁ ସୂଚନା ଦିଆଯାଉ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରାଯାଉ ବୋଲି ଦାବି ହୋଇଛି।ଅଘୋଷିତ ବିଦ୍ୟୁତ୍ କାଟରେ ଅତିଷ୍ଠ ହୋଇ ଅଞ୍ଚଳବାସୀ ଏବେ ବିଦ୍ୟୁତ୍ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ଯଦି ଖୁବ୍ ଶୀଘ୍ର ବିଦ୍ୟୁତ୍ ସେବାରେ ସୁଧାର ନଆସେ, ତେବେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
