ବାଲିପାଟଣା: ଗଣେଶ ପୂଜାକୁ ନେଇ ବାଲିପାଟଣା ଅଞ୍ଚଳରେ ଏବେଠାରୁ ଉତ୍ସବର ମାହୋଲ ଦେଖାଦେଇଛି। ବାଲିପାଟଣା, ବନମାଳିପୁର, ନରଦା, ଗୋପଗରଡ଼ା, ନରୋଦା, ଅଠାନ୍ତର,ମଧୁବନ, ବାଗଲପୁର, ତୁରିନ୍ତିରା, ଆଇତଳଙ୍ଗ ସମେତ ବିଭିନ୍ନ ଅଞ୍ଚଳରେ ପୂଜା ପାଇଁ ମଣ୍ଡପ ନିର୍ମାଣ ଓ ସାଜସଜ୍ଜା କାମ ଚାଲିଛି।
ବିଭିନ୍ନ ପୂଜା କମିଟି, ଯୁବକ ସଂଘ ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ଆଲୋକମାଳା ଓ ଅନ୍ୟାନ୍ୟ ସାଜସଜ୍ଜା କରାଯାଉଛି। ଅନ୍ୟପଟେ କାରିଗରମାନେ ବିଭିନ୍ନ ଆକାରର ଗଣେଶ ମୂର୍ତ୍ତି ତିଆରି କରି ଏବେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି। ମୂର୍ତ୍ତିର ଆକାର ଅନୁସାରେ ଦାମ ୨ହଜାରରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଥିବା କାରିଗରମାନେ କହିଛନ୍ତି।ପୂଜା ପରେ ଭସାଣି ଶୋଭାଯାତ୍ରାକୁ ନେଇ ମଧ୍ୟ କମିଟିଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭସାଣି ଶୋଭାଯାତ୍ରାରେ ନୃତ୍ୟଦଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ର ହେବ ବୋଲି ଜଣାପଡ଼ିଛି।
ପୁରାଣ ଅନୁସାରେ, ଗଣେଶ ହେଉଛନ୍ତି ମା’ ପାର୍ବତୀ ଓ ଭଗବାନ ଶିବଙ୍କ ପୁତ୍ର। ପାର୍ବତୀ ତାଙ୍କୁ ଦ୍ୱାର ଜଗିବାକୁ କହିଥିଲେ। ମହାଦେବ ଆସିବା ପରେ ଗଣେଶ ତାଙ୍କୁ ଭିତରକୁ ଛାଡ଼ିନଥିଲେ। ଏଥିରୁ ଶିବ ରାଗି ଗଣେଶଙ୍କ ମୁଣ୍ଡ କାଟିଦେଇଥିଲେ। ପରେ ପାର୍ବତୀଙ୍କ ଅନୁରୋଧରେ ମହାଦେବ ଏକ ହାତୀର ମୁଣ୍ଡ ଲଗାଇ ଗଣେଶଙ୍କୁ ପୁନର୍ଜୀବିତ କରିଥିଲେ। ସେହିଦିନ ଠାରୁ ତାଙ୍କୁ ପ୍ରଥମ ପୂଜ୍ୟ ଓ ବିଘ୍ନହର୍ତ୍ତାର ବର ମିଳିଥିଲା।
