ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସମସ୍ତ ପଦବୀକୁ ଷ୍ଟୁଡେଣ୍ଟ୍ ୟୁନିୟନ ସମର୍ଥିତ ପ୍ରାର୍ଥୀ ଦଖଲ କରିଛନ୍ତି।ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିର୍ବାଚନରେ ଛାତ୍ର ସଂସଦର ସମର୍ଥିତ ସମସ୍ତ ପ୍ରାର୍ଥୀ ଅପ୍ରତ୍ୟାଶିତ ବିଜୟଲାଭ କରିଥିବା ବେଳେ ଅନ୍ୟପକ୍ଷରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ହାତ ଖାଲି ରହିଛି । ପ୍ରକାଶିତ ଫଳାଫଳ ଅନୁଯାୟୀ, ମହାବିଦ୍ୟାଳୟର ସଭାପତି ଭାବେ ଷ୍ଟୁଡେଣ୍ଟ୍ ୟୁନିୟନ ସମର୍ଥିତ ପ୍ରାର୍ଥୀ ବିଶାଳ ଜେନା ୫୨୬ ଖଣ୍ଡ ଭୋଟ ପାଇ ପ୍ରତିଦ୍ୱନ୍ଦୀ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କୁ ୨୦୬ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟ ଲାଭ କରିଥିବା ବେଳେ ଉପ-ସଭାପତି ଭାବେ ରଶ୍ମିତା ନାଥ ବିଜେତା ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇଛନ୍ତି।
ସେହିପରି ସାଧାରଣ ସମ୍ପାଦକ ପଦବୀରେ ସୁଶ୍ରୀ ସଙ୍ଗୀତା ଭୋଇ ୩୨୭ ଖଣ୍ଡ ଭୋଟ ପାଇଥିବା ବେଳେ ସହ-ସମ୍ପାଦକ ଭାବେ ଶୁଭାଶିଷ ପାଣି ୫୫୬ ଖଣ୍ଡ ଏବଂ ଆଥ୍ଲେଟିକ୍ ସୋସାଇଟି ସମ୍ପାଦକ ଭାବେ ରାକେଶ ସାହୁ ୫୩୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ମଧ୍ୟରେ ନାଟ୍ୟ ପରିଷଦ ସମ୍ପାଦକ ଭାବେ ଇତିଶ୍ରୀ ପରିଡ଼ା ଏବଂ ଝିଅମାନଙ୍କ ସାଧାରଣ ବିଶ୍ରାମ କକ୍ଷ ସମ୍ପାଦକ ଭାବେ କଲ୍ୟାଣୀ ଦାସ ବିଜୟଲାଭ କରିଛନ୍ତି।ସମସ୍ତ ପ୍ରମୁଖ ପଦବୀରେ ସମର୍ଥିତ ପ୍ରାର୍ଥୀମାନେ ଏକପାଖିଆ ବିଜୟ ହାସଲ କରିବା ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ମହାବିଦ୍ୟାଳୟ ପରିସରରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିବାବେଳେ ବିଜୟୀ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
